ଭୁବନେଶ୍ୱର: ସର୍ବଭାରତୀୟ ବ୍ୟବସାୟୀ ସଂଘ(କ୍ୟାଟ୍)ର ଟ୍ରେଡ୍ ବନ୍ଦ ଡାକରାକୁ ସମର୍ଥନ ଜଣାଇଛନ୍ତି ଓଡ଼ିଶା ବ୍ୟବସାୟୀ ମହାସଙ୍ଘ । ତେଣୁ ୨୮ ତାରିଖରେ ଓଡ଼ିଶାର ସମସ୍ତ ଦୋକାନ ବଜାର ବ୍ୟବସାୟ ବନ୍ଦ ରହିବ । ଭାରତ ବର୍ଷର ଖୁଚୁରା ବ୍ୟବସାୟ କ୍ଷେତ୍ରରେ ବିଶ୍ୱସ୍ତରୀୟ କମ୍ପାନୀଙ୍କ ପ୍ରବେଶକୁ ବିରୋଧ କରି ଏହି ପ୍ରତୀକ ବନ୍ଦ ପାଳନ କରାଯିବ ବୋଲି ମହାସଂଘର ସଭାପତି ସୁଧାକର ପଣ୍ଡା କହିଛନ୍ତି । ନିକଟରେ ଫ୍ଲ୍ିପକାର୍ଟୱାଲ୍ମାର୍ଟ ଭିତରେ ହୋଇଥିବା ବୁଝାମଣାକୁ ମହାସଂଘ ନିନ୍ଦା କରିଛି । ଏହାଦ୍ୱାରା ଭାରତର ଖୁଚୁରା ବଜାର କ୍ଷେତ୍ରରେ ବିଦେଶୀ କମ୍ପାନୀଙ୍କ ପ୍ରବେଶ ପାଇଁ ବାଟ ଖୋଲିଛି ବୋଲି ସେ କହିଛନ୍ତି । ଆଜି ୱାଲ୍ମାର୍ଟ, କାଲି ଆଲିବାବା ଭାରତରେ ପ୍ରବେଶ କରିବ; ଆଉ ଏମାନଙ୍କ ସହ ପ୍ରତିଦ୍ୱନ୍ଦ୍ୱୀତା କରି ନପାରି ଭାରତର ଲକ୍ଷ ଲକ୍ଷ ଖୁଚୁରା ବ୍ୟବସାୟୀ ଜୀବିକା ହରାଇବେ ବୋଲି ସେ କହିଛନ୍ତି ।
ଏହାଛଡ଼ା ଭାରତର ଅର୍ଥନୀତି ଉପରେ ଏହା ଏକ ବିଶାଳ କୁପ୍ରଭାବ ପକାଇବ । କାରଣ ସେମାନଙ୍କ ପାଖରେ ବିଦେଶୀ ପୁଞ୍ଜିର ଅଭାବ ରହିବ ନାହିଁ । ଭାରତରେ ବ୍ୟବସାୟୀ ସାଢ଼େ ୧୧ ପ୍ରତିଶତ ସୁଧ ହାରରେ ଋଣ ଆଣି ନିବେଶ କରିବାକୁ ବସୁଥିବାବେଳେ ସେମାନଙ୍କୁ ବିଦେଶୀ ପୁଞ୍ଜି ଦେଢ଼ ପ୍ରତିଶତରେ ମିଳିପାରୁଛି । ଏଣୁ ଏହା ଭାରତୀୟ ବଜାରକୁ ଧ୍ୱଂସ କରିଦେବ । ଏହିକ୍ରମରେ ସାରା ଭାରତବର୍ଷରେ ଲୋକଙ୍କୁ ସଚେତନ କରି ଏହିପରି ଏକ ଚୁକ୍ତିକୁ ବିରୋଧ କରିବା ପାଇଁ ମହାସଂଘ ପକ୍ଷରୁ ପ୍ରବର୍ତ୍ତାଯାଉଛି । ସାରା ଦେଶରେ ଏଥିପାଇଁ କ୍ୟାଟ ପକ୍ଷରୁ ରଥଯାତ୍ରା ଆୟୋଜନ କରାଯାଉଛି । ଏହି ରଥ ନଭେମ୍ବର ୧୧ ତାରିଖରେ ବ୍ରହ୍ମପୁରରେ ପହଞ୍ଚିବ । ୧୪ ତାରିଖରେ ତାହା ଓଡ଼ିଶାରୁ ପଶ୍ଚିମବଙ୍ଗ ଯିବ । ଏହାବାଦ୍ ଓଡ଼ିଶା ବ୍ୟବସାୟୀ ମହାସଂଘ ପକ୍ଷରୁ ମଧ୍ୟ ଦୁଇଟି ସ୍ୱତନ୍ତ୍ର ରଥ ରାଜ୍ୟର ବିଭିନ୍ନ ସ୍ଥାନରେ ପହଞ୍ଚିବାର ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।