ଦିଲ୍ଲୀ ଜଳ ମନ୍ତ୍ରୀ ଆତିଶୀଙ୍କର ବିଗିଡିଲା ସ୍ୱାସ୍ଥ୍ୟବସ୍ଥା । ଚିକିତ୍ସା ପାଇଁ ହସ୍ପିଟାଲରେ ହେଲେ ଭର୍ତି । ଦିଲ୍ଲୀ ଏକ ଘରୋଇ ଡାକ୍ତରଖାନାରେ ଚାଲିଛି ଜଳ ମନ୍ତ୍ରୀ ଆତିଶୀଙ୍କ ଚିକିତ୍ସା । ଖାଦ୍ୟ, ପାନୀୟ ନପାଇ ଭୋକ ଉପାସର ପଞ୍ଚମ ଦିନ ହେତୁ ଆତିଶୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା । ମଙ୍ଗଳବାର ପଞ୍ଚମ ଦିନରେ ପ୍ରବେଶ କରିଥିବା ହରିୟାଣା ଦିଲ୍ଲୀର ଜଳ ଅଂଶ ଛାଡିବାକୁ ଦାବି କରି ଅତିଶୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ କରିଥିଲେ ।
ସୋମବାର ଦିନ ଏଲ୍ଏନ୍ଜେପି ହସ୍ପିଟାଲର ଡାକ୍ତରମାନେ ଅତିଶୀଙ୍କୁ ଯାଞ୍ଚ କରିଥିଲେ ଏବଂ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅନଶନ ହେତୁ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇଛି । ଯେଉଁଥିପାଇଁ ତାଙ୍କୁ ହସ୍ପିଟାଲ୍ରେ ଆଡମିଶନ କରିବାକୁ ପରାମର୍ଶ ଦେଇଥିଲେ । ଅତିଶୀ କିନ୍ତୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅନଶନ ଜାରି ରଖିବାକୁ ଦୃଢ଼ ପ୍ରତିଜ୍ଞାବଦ୍ଧ ଥିଲେ ।
ଗତକାଲି ଡାକ୍ତରଙ୍କ ପରାମର୍ଶ ସତ୍ତ୍ୱେ ଆତିଶୀ ନିଜ ଜିଦରେ ଅଟଳ ରହିଥିଲେ । ଦିଲ୍ଲୀବାସୀଙ୍କୁ ପାଣି ଠିକ ଭାବେ ନ ଯୋଗାଣ ହେବା ଯାଏ ସେ ଆନ୍ଦୋଳନ ବନ୍ଦ କରିବେ ନାହିଁ ବୋଲି ସେ କହିଛନ୍ତି । ସେ କହିଛନ୍ତି, “ମୋ ରକ୍ତ ଚାପ ଓ ସର୍କାର ସ୍ତର କମିବାରେ ଲାଗିଛି । ମୋ ଓଜନ ମଧ୍ୟ ହ୍ରାସ ପାଇଲାଣି । କେଟୋନ ସ୍ତର ମଧ୍ୟ ଅତ୍ୟଧିକ ଅଧିକ ହୋଇଗଲାଣି, ଯାହା ପରବର୍ତ୍ତୀ ସମୟରେ କ୍ଷତିକାରକ ସାବ୍ୟସ୍ତ ହେବ ।”
ଏସବୁ ସତ୍ତ୍ୱେ ଆତିଶୀ ହସ୍ପିଟାଲ ଯିବାକୁ ମନା କରି ଦେଇଥିଲେ । ସେ କହିିଥିଲେ , “ଶରୀର ଯେତେ କଷ୍ଟ ପାଇଲେ ମଧ୍ୟ କିଛି ଫରକ ପଡ଼ିବ ନାହିଁ । ହରିୟାଣା ପାଣି ରିଲିଜ ନ କରିବା ଯାଏ ମୁଁ ମୋର ଆନ୍ଦୋଳନ ଜାରି ରଖିବି ।” କିନ୍ତୁ ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟବସ୍ତା ଅଧିକ ବିଗିଡ଼ିବା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।