ଭୁବନେଶ୍ୱର : ‘ମେକ୍ ଇନ୍ ଓଡ଼ିଶା’ର ଦ୍ୱିତୀୟ ସଂସ୍କରଣରୁ ୪ ଲକ୍ଷ ୧୯ ହଜାର ୫୭୪ କୋଟି ଟଙ୍କା ପୁଞ୍ଜି ନିବେଶର ପ୍ରତିଶ୍ରୁତି ମିଳିଛି । ଏ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରବିବାରଠାରୁ ଜନତା ମଇଦାନରେ ଆରମ୍ଭ ହୋଇଥିବା ‘ମେକ୍ ଇନ୍ ଓଡ଼ିଶା’ର ନିବେଶକ ସମ୍ମିଳନୀ ମଙ୍ଗଳବାର ଉଦ୍ଯାପିତ ହୋଇଯାଇଛି । ଉଦ୍ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି, ଗତ ତିନି ଦିନ ମଧ୍ୟରେ ଦେଶ ବିଦେଶର ୫୦୭୪ ଶିଳ୍ପ ପ୍ରତିନିଧି ଯୋଗ ଦେଇଛନ୍ତି । ଏହି କମ୍ପାନୀଗୁଡ଼ିକ ତରଫରୁ ୧୫ଟି କ୍ଷେତ୍ରର ୧୮୩ ପ୍ରକଳ୍ପରେ ସମୁଦାୟ ୪ ଲକ୍ଷ ୧୯ ହଜାର ୫୭୪ କୋଟି ଟଙ୍କା ପୁଞ୍ଜି ନିବେଶର ପ୍ରତିଶ୍ରୁତି ମିଳିଛି । ଏହାଦ୍ୱାରା ୫ ଲକ୍ଷ ୯୧ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ମେକ୍ ଇନ୍ ଓଡ଼ିଶା ସାରା ବିଶ୍ୱର ଶିଳ୍ପଦ୍ୟୋଗୀଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇପାରିଛି । ଯୁବ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ଦେବାରେ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ଓଡ଼ିଶା ଦକ୍ଷ ମାନବ ସମ୍ବଳ ସୃଷ୍ଟି କରିବାରେ ଲଗାତର ଭାବେ କେନ୍ଦ୍ର ସରକାରଙ୍କଠାରୁ ପୁରସ୍କୃତ ହୋଇଆସୁଛି । ମାନବ ସମ୍ବଳ ସୃଷ୍ଟି କ୍ଷେତ୍ରରେ ଓଡ଼ିଶା ସିଙ୍ଗାପୁରସ୍ଥିତ ଆଇଟିଇଇଏସ୍ କମ୍ପାନୀ ସହ ଚୁକ୍ତି ସ୍ୱାକ୍ଷର କରିଛି । ଓଡ଼ିଶାର ବୈଷୟିକ ଜ୍ଞାନ କୌଶଳର ସହଯୋଗୀ ଭାବରେ ଜାପାନ ସହାୟତା କରିବାକୁ ଆଗେଇ ଆସିଛି । ଓଡ଼ିଶାର ଖଣିଜ ସମ୍ପଦ, ପର୍ଯ୍ୟଟନ, ଖାଦ୍ୟ ପ୍ରକ୍ରିୟାକରଣ, ଅକ୍ଷୟ ଶକ୍ତି, କେମିକାଲ୍, ପେଟ୍ରୋକେମିକାଲ୍ ଓ ଇଲୋକ୍ଟ୍ରୋନିକ୍ସ କ୍ଷେତ୍ରରେ ନିବେଶ ପାଇଁ ପ୍ରସ୍ତାବ ମିଳିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଶିଳ୍ପମନ୍ତ୍ରୀ ଅନନ୍ତ ଦାସ ଓ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ପୁଞ୍ଜି ବିନିଯୋଗ ସଂପର୍କରେ ସୂଚନା ଦେଇଥିଲେ । ସେ କହିଲେ ଯେ ବିଦେଶୀ ପୁଞ୍ଜି ନିବେଶ କ୍ଷେତ୍ରରେ ତାଇୱାନ୍, ହଲାଣ୍ଡ୍, ଥାଇଲାଣ୍ଡ୍ ଓ ଜାପାନ ୪୦ ହଜାର ୪୬୦ କୋଟି ଟଙ୍କା ପୁଞ୍ଜି ନିବେଶର ପ୍ରତିଶ୍ରୁତି ଦେଇଛନ୍ତି । ତାଇୱାନ୍ ପେଟ୍ରୋକେମିକାଲ, ହଲାଣ୍ଡ୍ ଲଜିଷ୍ଟିକ୍, ଥାଇଲାଣ୍ଡ ଓ ଜାପାନ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ପୁଞ୍ଜିନିବେଶ କରିବେ । ଚଳିତ ମେକ୍ ଇନ୍ ଓଡ଼ିଶା’ କନକ୍ଳେଭ୍ରେ ହଳିଦିଆ ପେଟ୍ରୋକେମିକାଲ୍ଠାରୁ ସର୍ବାଧିକ ୭୦ ହଜାର କୋଟି ଟଙ୍କା ପୁଞ୍ଜି ନିବେଶର ପ୍ରସ୍ତାବ ମିଳିଛି । ଏହାପରେ ଜିନ୍ଦଲ ଷ୍ଟିଲ୍ ୬୦ ହଜାର ୯୫୦ କୋଟି ଟଙ୍କା, ଏମ୍ସିଏଲ୍ ୫୮ ହଜାର କୋଟି ଟଙ୍କା, ତାଇୱାନ୍ ୪୩ ହଜାର କୋଟି ଟଙ୍କା ଓ ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆଠାରୁ ୪୧ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶର ପ୍ରତିଶ୍ରୁତି ମିଳିଛି । ଖଣିଜ ଓ ଆନୁସଙ୍ଗିକ ଶିଳ୍ପ କ୍ଷେତ୍ରରେ ଆସିଥିବା ୫୩ଟି ପ୍ରସ୍ତାବ ଅନୁଯାୟୀ ୨ ଲକ୍ଷ ୩୭ ହଜାର ୪୩୫ କୋଟି ଟଙ୍କା ବିନିଯୋଗ ହେବ । ସେହିପରି ସାର ଓ ପେଟ୍ରୋକେମିକାଲ୍ ପ୍ରକଳ୍ପ ପାଇଁ ଆସିଥିବା ୩୭ଟି ପ୍ରସ୍ତାବ ଅନୁଯାୟୀ ୧ ଲକ୍ଷ ୩୫ ହଜାର କୋଟି ଟଙ୍କା ବିନିଯୋଗ ପାଇଁ ଶିଳ୍ପପତିମାନେ ରାଜି ହୋଇଛନ୍ତି । ୬ଟି ଶିଳ୍ପ ପାର୍କରେ ୧ ଲକ୍ଷ ୪୧ ହଜାର ୮୦୦ କୋଟି ଟଙ୍କା ବିନିଯୋଗ ପାଇଁ ପ୍ରସ୍ତାବ ଆସିଛି ।
୫ ଲକ୍ଷ ୯୧ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ
୧୫ଟି କ୍ଷେତ୍ରର ୧୮୩ଟି ପ୍ରକଳ୍ପକୁ ମିଳିବ ପୁଞ୍ଜି
କନ୍କ୍ଲେଭ୍ରେ ଯୋଗଦେଇଥିଲେ ୫,୦୭୪ ପ୍ରତିନିଧ
ରାଜ୍ୟ ସରକାରଙ୍କ ଶିଳ୍ପନୀତି ନିବେଶକଙ୍କ ପାଇଁ ସହାୟକ ହୋଇପାରିଛି । ‘ମେକ୍ ଇନ୍ ଓଡ଼ିଶା’ର ଦ୍ୱିତୀୟ ସଂସ୍କରଣ ଓଡ଼ିଶାର ଶିଳ୍ପ ଇତିହାସରେ ନିର୍ଣ୍ଣାୟକ ହେବ ବୋଲି ସେ କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଚଳିତ ‘ମେକ୍ ଇନ୍ ଓଡ଼ିଶା’ ସଂସ୍କରଣର ଥିମ୍ ‘ଆଇ ଆମ୍ ଓଡ଼ିଶା’ ଅଭିଯାନ ଦ୍ୱାରା ଓଡ଼ିଶାର ଯୁବ ଉଦ୍ୟୋଗୀମାନଙ୍କୁ ବିଶ୍ୱ ସମୁଦାୟ ସାମ୍ନାରେ ଉପସ୍ଥାପିତ କରାଯାଇଛି ବୋଲି କହିଥିଲେ । ଏହାଦ୍ୱାରା ଚୟନ କରାଯାଇଥିବା ଶ୍ରେଷ୍ଠ ୩ ଜଣଙ୍କୁ ‘ପ୍ରାଇଡ୍ ଅଫ୍ ଓଡ଼ିଶା’ ପୁରସ୍କାର ପ୍ରଦାନ କରିଥିଲେ । ଶ୍ରେଷ୍ଠ ଷ୍ଟାର୍ଟଅପ୍ ଭାବେ ସୁମନକାନ୍ତି ମିଶ୍ର, ସତ୍ୟେନ୍ଦୁ ଓ ଶଶାଙ୍କ ସିଂହଲଙ୍କୁ ପୁରସ୍କୃତ କରାଯାଇଥିଲା । ଶ୍ରେଷ୍ଠ ସିଏସଆର୍ ଭାବେ ଓଡ଼ିଶା ଖଣି ନିଗମ, ଏସିସି ସିମେଣ୍ଟ ଓ ଟାଟା ଷ୍ଟିଲକୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ । ୨୦୨୦ ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ପରବର୍ତ୍ତୀ ମେକ୍ ଇନ୍ ଓଡ଼ିଶା ଆୟୋଜନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଉଦ୍ଯାପନୀ କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତୋ ବାଗ୍ଚୀ, ଶିଳ୍ପ ସଚିବ ସଞ୍ଜୀବ ଚୋପ୍ରା, ଇଡ୍କୋ ସିଏମଡି ସଞ୍ଜୟ ସିଂ ଉପସ୍ଥିତ ଥିଲେ । ଏହି ଅବସରରେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଓଡ଼ିଆ ଫେସନ୍ ଡିଜାଇନର୍ ବିଭୁ ମହାପାତ୍ର ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଛନ୍ତି । ବିଭୁ ମହାପାତ୍ରଙ୍କ ଗ୍ରୁପ୍ ତରଫରୁ ଚିତ୍ତାକର୍ଷକ ଫେସନ୍ ଆୟୋଜିତ ହୋଇଥିଲା । ଏଥିରେ ଓଡ଼ିଆ ଅଭିନେତ୍ରୀ ଅର୍ଚ୍ଚିତାଙ୍କ ସମେତ ରାଜ୍ୟ ବାହାରର ବହୁ ମଡେଲ୍ ଭାଗ ନେଇଥିଲେ । ଆଜି ପୂର୍ବାହ୍ନରେ ଆୟୋଜିତ ବିଭିନ୍ନ ଅଧିବେଶନରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ୨୭୫୦ କୋଟି ଟଙ୍କା ନିବେଶର ପ୍ରତିଶ୍ରୁତି ମିଳିଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଥିଲେ । ଷ୍ଟିଲ୍ ତଥା ଆଲୁମିନିୟମ୍ କ୍ଷେତ୍ରର ବିକାଶ ପାଇଁ ଅନୁଗୁଳ, ଝାରସୁଗୁଡ଼ା ଓ କଳିଙ୍ଗନଗରରେ ଶିଳ୍ପ ପାର୍କ ପ୍ରତିଷ୍ଠା କରାଯିବ । ‘ଓଡ଼ିଶା ଏରୋସ୍ପେସ୍ ଓ ପ୍ରତିରକ୍ଷା ଉତ୍ପାଦନ ନୀତି’ ଦ୍ୱାରା ପ୍ରଥମ ୩ଟି କମ୍ପାନୀକୁ ରାଜ୍ୟ ସରକାର ମୂଳ ଜମାରେ ୧୦୦ କୋଟି ଟଙ୍କାର ସବ୍ସିଡି ଯୋଗାଇ ଦେବେ ବୋଲି ଶିଳ୍ପ ସଚିବ ସଞ୍ଜୀବ ଚୋପ୍ରା ସୂଚନା ଦେଇଥିଲେ । କୃଷି କ୍ଷେତ୍ରରେ ବିହନ ଉତ୍ପାଦନ ପାଇଁ ଜାତୀୟ ବିହନ ନିଗମ ସହ ଓଡ଼ିଶା ରାଜ୍ୟ ବିହନ ନିଗମ ଏବଂ କୃଷି ଓ ଖାଦ୍ୟ ଉତ୍ପାଦନ ବିଭାଗ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ପ୍ରୋତ୍ସାହନ ଯୋଜନା ଓ ଓଡ଼ିଶା ଜୈବିକ କୃଷି ନୀତି ଉନ୍ମୋଚନ କରିଥିଲେ ।