ନୂଆଦିଲ୍ଲୀ: ଖୁବଶୀଘ୍ର ବଜାରକୁ ଆସିବ ୨୦ଟଙ୍କିଆ କଏନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିଲ୍ଲୀରେ ଭିନ୍ନ-ଭିନ୍ନ ମୂଲ୍ୟର ନୂଆ କଏନ୍ ଉନ୍ମୋଚନ କରିଛନ୍ତି। ଏହି କଏନ୍ ଗୁଡ଼ିକ ମଧ୍ୟରେ ୧, ୨, ୫ ଓ ୧୦ ଟଙ୍କା ବ୍ୟତୀତ ନୂଆ ୨୦ ଟଙ୍କିଆ କଏନ୍ ମଧ୍ୟ ସାମିଲ ଅଛି । ଏହି କଏନର ବିଶେଷତ୍ୱ ହେଉଛି, ଏହାକୁ ଦୃଷ୍ଟିବାଧିତ ଲୋକେ ମଧ୍ୟ ଭଲ ଭାବେ ଚିହ୍ନି ପାରିବେ। ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଜାରି ହୋଇଥିବା ନୂଆ ବିଜ୍ଞପ୍ତି ଅନୁଯାୟୀ, ୨୦ ଟଙ୍କିଆ କଏନର ଆକାର ୨୭ ଏମ୍ଏମ୍ ରହିବ। କଏନର ବାହ୍ୟ ରିଙ୍ଗରେ ୬୫ ପ୍ରତିଶତ ‘କପର୍’ (ତମ୍ବା), ୧୫ ପ୍ରତିଶତ ‘ଜିଙ୍କ’ ଏବଂ ୨୦ ପ୍ରତିଶତ ‘ନିକେଲ୍’ ହେବ। କଏନ୍ ଭିତରେ ୭୫ ଭାଗ କପର, ୨୦ ଭାଗ ଜିଙ୍କ୍ ଏବଂ ପାଞ୍ଚ ଭାଗ ନିକେଲ୍ ରହିବ । ଏହି କଏନର ଗୋଟିଏ ପାର୍ଶ୍ଵରେ ଅଶୋକ ସ୍ତମ୍ଭ ରହିବ, ଯାହାର ନିମ୍ନଭାଗରେ ‘ସତ୍ୟମେବ ଜୟତେ’ ଲେଖା ହୋଇଥିବାର ଦେଖିବାକୁ ମିଳିବ। କଏନର ଅପର ପାର୍ଶ୍ଵରେ ବାମ ପଟେ ହିନ୍ଦିରେ ‘ଭାରତ’ ଏବଂ ଡାହାଣ ପଟେ ଇଂରାଜୀରେ ‘ଇଣ୍ଡିଆ’ ଲେଖା ଥିବ।