ନିରବଚ୍ଛିନ୍ନ ଏଲ୍ପିଜି ସଂଯୋଗ ଜାରିରହିବ : ଆଇଓସିଏଲ ସିଜିମ୍ ପ୍ରୀତିଶ ଭରତ

ଭୁବନେଶ୍ୱର,  :କେନ୍ଦ୍ର ସରକାରଙ୍କ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ କରାଯାଇଥିବା ‘ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା’ (ପିଏମ୍ୟୁୱାଇ) ଅନ୍ତର୍ଗତ ବିପିଏଲ୍ ପରିବାରର ୫ କୋଟି ମହିଳାମାନଙ୍କୁ ଏଲ୍ପିଜି ସଂଯୋଗ ଦିଆଯାଇଛି । ୨୦୧୯ ମାର୍ଚ୍ଚ ସୁଦ୍ଧା ଏହା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ବେଳେ ଏହାର ପ୍ରାୟ ୮ ମାସ ପୂର୍ବରୁ ଏହି ଲକ୍ଷ୍ୟ ହାସଲ ହୋଇଛି ବୋଲି ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ସିଜିମ୍ ପ୍ରୀତିଶ ଭରତ କହିଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଭରତ କହିଛନ୍ତି, ୨୦୨୦ ମସିହା ସୁଦ୍ଧା ଅତିରିକ୍ତ ୩ କୋଟି ଏଲ୍ପିଜି ସଂଯୋଗ ନିମନ୍ତେ ୧୨,୮୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏହି ଯୋଜନା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୨୦୧୬ ମେ ୧ରେ ଉତ୍ତରପ୍ରଦେଶସ୍ଥିତ ବଲିଆରେ ଘୋଷଣା କରାଯାଇଥିଲା । ୨୦୧୮ ମସିହା ଅଗଷ୍ଟ ମାସ ସୁଦ୍ଧା ଉଦ୍ୟୋଗ ୫ କୋଟି ଅତିକ୍ରମ କରିସାରିଛି, ଯାହାକି ଧାର୍ଯ୍ୟ ସମୟ ଠାରୁ ୮ ମାସ ଆଗୁଆ ରହିଛି ।

୨୦୧୮ ଡିସେମ୍ବର ମାସ ୧୫ ସୁଦ୍ଧା ଏହି ଯୋଜନା ଅନ୍ତର୍ଗତ ସମଗ୍ର ଭାରତରେ ୫.୮ କୋଟି ଏଲ୍ପିଜି ସଂଯୋଗୀକରଣ ହୋଇସାରିଛି । ଓଡ଼ିଶାରେ ମୋଟ ୩୫.୩୬ ଲକ୍ଷ ହିତାଧିକାରୀଙ୍କୁ ୨୦୧୮ ଡିସେମ୍ବର ୨୪ ସୁଦ୍ଧା ଏଲ୍ପିଜି ସଂଯୋଗ ସୁବିଧା ପ୍ରଦାନ କରାଯାଇଛି । ନିକଟରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ କମିଟି ଅନ୍ ଇକୋନୋମିକ୍ ଆଫାୟେର୍ସ ‘ସିସିଇଏ’ ବୈଠକରେ ଗରିବ ପରିବାରକୁ ଜମାମୁକ୍ତ ସଂଯୋଗର ସୁବିଧା ଦେବାକୁ ନିଷ୍ପତ୍ତି ହୋଇଛି । ଯିଏ ସାମାଜିକ- ଅର୍ଥନୈତିକ ଜାତି ଜନଗଣନା ‘ଏସ୍ଇସିସି’ ଅନୁଯାୟୀ ଅନୁସୂଚିତ ଜାତି,ଜନଜାତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ‘ପିଏମ୍ଏୱାଇ’ (ଗ୍ରାମୀଣ), ଅନ୍ତ୍ୟୋଦୋୟ ଅନ୍ନ ଯୋଜନା ‘ଏଏୱାଇ’, ବନବାସୀ, ଅତି ପଛୁଆବର୍ଗ ‘ଏମ୍ବିସି’, ଚା ବଗିଚା ଏବଂ ଏକ୍ସ-ଚା ବଗିଚା ଜନଜାତି, ଦ୍ୱୀପାଞ୍ଚଳ, ନଦୀ ତଟବର୍ତ୍ତୀ ଅଧିବାସୀ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ସଂଯୋଗ ପାଇ ନ ଥିଲେ ତାଙ୍କୁ ଏହି ସୁବିଧା ଦିଆଯିବ । ଏବେ ଯେଉଁ ପରିବାର ଏସ୍ଇସିସି ଯୋଜନାରୁ ବଞ୍ଚିତ ହୋଇଥିଲେ ଅଥବା ଉପରୋକ୍ତ ୭ଟି ଶ୍ରେଣୀରେ ନାମ ପଞ୍ଜୀକରଣ କରିପାରିନଥିଲେ, ସେମାନେ ଏବେ ଏହି ଯୋଜନାରୁ ଲାଭ ପାଇପାରିବେ । ସାମ୍ବାଦିକ ସମ୍ମିଳନୀରେ ଏଚ୍ପିସିଏଲ୍ ଡିଜିଏମ୍ ଧର୍ମେନ୍ଦ୍ର ବେଉରା, ବିପିସିଏଲ୍ ରାଜ୍ୟ ମୁଖ୍ୟ ସଞ୍ଜୟ ଶର୍ମା ଓ ‘ଆଇଓସିଏଲ୍’ ଜିଏମ୍ ସଞ୍ଜୟ କୁମାର ଝା ଉପସ୍ଥିତ ଥିଲେ ।