ବିଶିଷ୍ଟ ଔପନ୍ୟାସିକ ଅମିତାଭ ଘୋଷଙ୍କୁ ଜ୍ଞାନପୀଠ ପୁରସ୍କାର

ଭୁବନେଶ୍ୱର : ୨୦୧୮ ବର୍ଷ ପାଇଁ ସାହିତ୍ୟ କ୍ଷେତ୍ରରେ ଦେଶର ସର୍ବୋଚ୍ଚ ସମ୍ମାନ ଜ୍ଞାନପୀଠ ପୁରସ୍କାର ପାଇବେ ଇଂରାଜୀ ଭାଷାର ବିଶିଷ୍ଟ ଔପନ୍ୟାସିକ ଅମିତାଭ ଘୋଷ । ପ୍ରଥମ ଥର ପାଇଁ ଇଂରାଜୀ ଭାଷାରେ ଲେଖନୀ ଚାଳନା କରୁଥିବା ଜଣେ ସାହିତ୍ୟିକଙ୍କୁ ଏହି ସମ୍ମାନଜନକ ପୁରସ୍କାର ଦିଆଯିବ । ଶୁକ୍ରବାର ବିଶିଷ୍ଟ ଓଡ଼ିଆ ସାହିତ୍ୟିକ ଡ. ପ୍ରତିଭା ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜ୍ଞାନପୀଠ ପୁରସ୍କାର ମନୋନୟନ କମିଟି ବୈଠକରେ ସର୍ବସମ୍ମତିକ୍ରମେ ଅମିତାଭଙ୍କୁ ୫୪ତମ ଜ୍ଞାନପୀଠ ବିଜେତା ଘୋଷଣା କରାଯାଇଛି ।

୧୯୫୬ ମସିହାରେ ଜନ୍ମିତ ଅମିତାଭ କଥା ସାହିତ୍ୟ ପାଇଁ ପ୍ରସିଦ୍ଧି ଲାଭ କରିଛନ୍ତି । ଜ୍ଞାନପୀଠ କମିଟିକୁ ଧନ୍ୟବାଦ ଜଣାଇ ଶ୍ରୀ ଘୋଷ କହିଛନ୍ତି, ଆଜିର ଦିନ ମୋ ପାଇଁ ଚମକପ୍ରଦ । ଏପରି ତାଲିକାରେ ମୋ ନାଁ ଯେ କେବେ ଯୋଡ଼ିହେବ ତାହା ଭାବିନଥିଲି । ଏହି ତାଲିକାରେ ଅନେକ ବ୍ୟକ୍ତିଙ୍କ ନାମ ରହିଛି, ଯେଉଁମାନଙ୍କୁ ମୁଁ ଯଥେଷ୍ଟ ସମ୍ମାନ କରେ । ଅମିତାଭଙ୍କ ପ୍ରସିଦ୍ଧ ରଚନା ମଧ୍ୟରେ ରହିଛି ‘ରିଜନ୍’, ‘ଦି ଶ୍ୟାଡୋ ଲାଇନ୍ସ’, ‘ଦି କାଲକାଟା କ୍ରୋମୋଜୋମ୍’, ‘ଦି ଗ୍ଲାସ୍ ପ୍ୟାଲେସ୍’, ‘ଦି ହଙ୍ଗ୍ରି ଟାଇଡ୍’ ଓ ‘ସି ଅଫ୍ ପପ୍ପିଜ୍’ ଇତ୍ୟାଦି । ଇଂରାଜୀ ଭାଷାରେ ସାହିତ୍ୟ ସର୍ଜନା କରୁଥିବା ଭାରତୀୟ ସାହିତ୍ୟକମାନଙ୍କ ମଧ୍ୟରେ ଶ୍ରୀ ଘୋଷ ଦେଶ ବିଦେଶରେ ବେଶ୍ ଜଣାଶୁଣା । ଆଧୁନିକତା ସହ ଇତିହାସର ଧାରାକୁ ଯୋଡ଼ି ଶ୍ରୀ ଘୋଷ ସାହିତ୍ୟ ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଶ୍ରୀ ଘୋଷ ବର୍ତ୍ତମାନ ଆମେରିକାର ନ୍ୟୁୟକରେ ବସବାସ କରୁଛନ୍ତି ।