ଗୃହମନ୍ତ୍ରୀ ଭାବେ ଅମିତ ଶାହାଙ୍କ ପ୍ରଥମ ମାଓବାଦୀ ସମୀକ୍ଷା ବୈଠକ

ନୂଆଦିଲ୍ଲୀ: ଆଜି ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ମାଓବାଦୀ ସମୀକ୍ଷା ବୈଠକ । ଦେଶରେ ମାଓବାଦୀ ତଥା ନକ୍ସଲ ସମସ୍ୟା ନେଇ ଶାହା କରିବେ ସମୀକ୍ଷା । ଏଥିରେ ମାଓ ସମସ୍ୟାରେ ଜର୍ଜରିତ ରାଜ୍ୟଙ୍କ ମୁଖ୍ୟମନ୍ତ୍ରୀ ଅବା ପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଗୃହମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ଶାହାଙ୍କହ ଏହା ପ୍ରଥମ ମାଓବାଦୀ ସମୀକ୍ଷା ବୈଠକ । ଦେଶରେ ନକ୍ସଲ ସମସ୍ୟା ଓ ଏହାର ମୁକାବିଲା ନେଇ ଅମିତ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ଉକ୍ତ ରାଜ୍ୟରେ ସୁରକ୍ଷା ଓ ବିକାଶ ସମ୍ପର୍କିତ ବିଷୟରେ ହେବ ଆଲୋଚନା । ଏହି ବୈଠକରେ ମାଓବାଦୀ ପ୍ରଭାବିତ ୧୦ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ପୋଲିସ ଅଧିକାରୀ ଯୋଗ ଦେବେ ।ବୈଠକରେ ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସମେତ ପାରାମିଲିଟାରୀ ଫୋର୍ସର ପ୍ରମୁଖ ଅଧିକାରୀ ଯୋଗ ଦେବାର କାର‌୍ୟ୍ୟକ୍ରମ ରହିଛି । ସୂଚନା ଅନୁସାରେ ବୈଠକରେ ଗୃହମନ୍ତ୍ରୀ ମାଓବାଦୀଙ୍କ ବିରୋଧରେ ଚାଲିଥିବା ଅପରେସନର ସମୀକ୍ଷା କରିବେ । ଏହାସହ ଉକ୍ତ ଅଞ୍ଚଳରେ ରାଜ୍ୟ ସରକାର କଣ କଣ ବିକାଶୋନ୍ମୁଖୀ ପଦକ୍ଷେପ ନେଇଛନ୍ତି ତାହା ମଧ୍ୟ ପଚାରି ବୁଝିବେ ଅମିତ । ଏହାସହ ମାଓ-ପୋଲିସ ଲଢେଇରେ ସାଧାରଣ ଜନତାଙ୍କ କ୍ଷୟକ୍ଷତିର ରିପୋର୍ଟ ମଧ୍ୟ ଶାହା ମାଗିବେ ବୋଲି ଜଣାପଡିଛି ।ବୈଠକରେ ଯୋଗ ଦେବାକୁ ଥିବା ୧୦ଟି ମାଓ ପ୍ରଭାବିତ ରାଜ୍ୟ ହେଲେ ଛତିଶଗଡ, ଝାଡଖଣ୍ଡ, ଓଡିଶା, ପଶ୍ଚିମବଙ୍ଗ, ବିହାର, ମହାରାଷ୍ଟ୍ର, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, ମଧ୍ୟପ୍ରଦେଶ ଓ ଉତ୍ତର ପ୍ରଦେଶ । ଉଲ୍ଲେଖଯୋଗ୍ୟ ଯେ ୨୦୦୯ ତୁଳନାରେ ୨୦୧୮ରେ ମାଓବାଦୀଙ୍କ ଆକ୍ରମଣ ଓ ଏଥିରେ କ୍ଷୟକ୍ଷତି ଅପେକ୍ଷାକୃତ କମ ରହିଛି । ଏହି ସମୟ ମଧ୍ୟରେ ୧୪୦୦ ମାଓବାଦୀଙ୍କ ମୃତ୍ୟୁ ହୋଇଥିବାବେଳେ ୩୧୦ଟି ଆକ୍ରମଣ ଘଟିଛି । ଏଥିରେ ୮୮ଟି ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି । ସୁରକ୍ଷାକର୍ମୀଙ୍କୁ ମିଶାଇ ୨୦୦୯-୧୩ ମଧ୍ୟରେ ମୋଟ ୩୩୨୬ ଜୀବନ ଯାଇଛି । ୨୦୧୪-୧୮ ଭିତରେ ଏହି ସଂଖ୍ୟା ୧୩୨୧ ରହିଛି ।