ଏଣିକି ଗୋଟିଏ କାର୍ଡରେ ଆଧାର, ପାସପୋର୍ଟ ଓ ଡ୍ରାଇଭିଂ ଲାଇସେନ୍ସ!

ନୂଆଦିଲ୍ଲୀ: ଆଧାର କାର୍ଡ, ପାସପୋର୍ଟ, ପାନ୍‌, ଡ୍ରାଇଭିଂ ଲାଇସେନ୍ସ ଓ ବ୍ୟାଙ୍କ ଖାତା ଭଳି ତମାମ ପରିଚୟପତ୍ର ଏକାସଙ୍ଗରେ ରଖିବାରେ ଆପଣ ନିଶ୍ଚିତ ଅସୁବିଧାର ସମ୍ମୁଖୀନ ହେଉଥିବେ। ହେଲେ ଏହି ଏକାଧିକ ପରିଚୟପତ୍ର ରଖିବା ସମସ୍ୟାରୁ ଆପଣଙ୍କୁ ଖୁବଶୀଘ୍ର ମୁକ୍ତି ମିଳିପାରେ। କାରଣ ଦେଶର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏସବୁ ପରିଚୟପତ୍ରକୁ ଗୋଟିଏ କାର୍ଡରେ ଉପଲବ୍ଧ କରିବା ପାଇଁ ବିଚାରବିମର୍ଶ ଆରମ୍ଭ କରିଛନ୍ତି। ଅର୍ଥାତ୍ ଗୋଟିଏ କାର୍ଡରେ ଆଧାର ଠାରୁ ଆରମ୍ଭ କରି ଡ୍ରାଇଭିଂ ଲାଇସେନ୍ସ ପର୍ଯ୍ୟନ୍ତ ସବୁ କିଛି ରହିବ।

ସେହିପରି ୨୦୨୧ ଜନ ଗଣନାକୁ ଅଧିକ ସରଳ ଭାବେ ଶେଷ କରିବାକୁ ଶ୍ରୀ ଶାହ ମୋବାଇଲ ଆପ୍‌ର ପ୍ରଚଳନ କରାଯିବ ବୋଲି ମଧ୍ୟ କହିଛନ୍ତି। ଏହାଦ୍ୱାରା ସର୍ଭେ କରୁଥିବା ଅଧିକାରୀଙ୍କୁ ଆଉ କାଗଜ କଲମ ଧରି ବୁଲିବାକୁ ପଡ଼ିବ ନାହିଁ। ଅଫିସ ଅଫ୍‌ ରେଜିଷ୍ଟ୍ରା ଜେନେରାଲ ଅଫ ଇଣ୍ଡିଆ ଓ ଜନ ଗଣନା କମିଶନର ମୁଖ୍ୟାଳୟର ନୂଆ ବିଲଡିଂ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବା ଅବସରରେ ଶ୍ରୀ ଶାହ ଏକଥା କହିଛନ୍ତି।

ସେ କହିଛନ୍ତି, “ଆମ ପାଖରେ ଆଧାର କାର୍ଡ, ପାନ୍‌ କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପାସପୋର୍ଟ, ଭୋଟ ପରିଚୟ ପତ୍ର ଓ ବ୍ୟାଙ୍କ ଆକାଉଣ୍ଟ ରହିଛି। ହେଲେ ଏଥିପାଇଁ ଅଲଗା ଅଲଗା କାର୍ଡ ମିଳୁଛି। ଏଗୁଡ଼ିକ ଏକାଠି କାହିଁକି ଗୋଟିଏ କାର୍ଡରେ ଉପଲବ୍ଧ ହୋଇପାରିବ ନାହିଁ?

ସବୁ ତଥ୍ୟକୁ ଗୋଟିଏ କାର୍ଡରେ ରଖାଯିବା ଭଳି ବ୍ୟବସ୍ଥାର ଆବଶ୍ୟକତା ରହିଛି। ଏହା ସମ୍ଭବ। କିନ୍ତୁ ଏଥିପାଇଁ ଡିଜିଟାଲ ଜାଗରଣ ହେବା ଉଚିତ।”

ଅନ୍ୟପକ୍ଷରେ ୨୦୨୦ ଅକ୍ଟୋବର ୧ରୁ ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ଜନଗଣନା କାର୍ଯ୍ୟକ୍ରମ ଆରମ୍ଭ ହେବ। ସେହିପରି ଦେଶର ଅନ୍ୟ ରାଜ୍ୟରେ ୨୦୨୧ ମାର୍ଚ୍ଚ ୧ରୁ ଜନଗଣନା କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ସରକାର ଘୋଷଣା କରିଛନ୍ତି। ଏହାକୁ ମୋବାଇଲ ଆପ ଜରିଆରେ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।