ଏମ୍‌ସରେ ଝାଡୁ ମାରୁଥିବାର ନଜର ଆସିଲେ ଶାହା ଓ ନଡ୍ଡା

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନକୁ ଶନିବାର ଠାରୁ ସେବା ସପ୍ତାହ ଭାବେ ପାଳନ କରୁଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆଜି ପୂର୍ବାହ୍ଣରେ ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ (ଏମ୍ସ) ଯାଇ ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି । ପାର୍ଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହିତ ଶାହା ଏମ୍ସ ପହଞ୍ଚିଥିଲେ । ସେହିପରି ପୂର୍ବ ଦିଲ୍ଲୀରୁ ସାଂସଦ ତଥା ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । 

ଅମିତ ଶାହା ଓ ଜେପି ନଡ୍ଡା ଏମ୍ସରେ ସ୍ୱଚ୍ଛତା ଅଭିଯାନରେ ଅଂଶଗ୍ରହଣ କରିଛନ୍ତି । ଶାହା ଏହି ଅବସରରେ କହିଛନ୍ତି, ବିଜେପିର ଏହି ସେବା ସପ୍ତାହ ଅବସରରେ ଦଳୀୟ କର୍ମକର୍ତ୍ତାମାନେ ଭିନ୍ନ ଭିନ୍ନ ସଫାଇ କର୍ମକର୍ତ୍ତା, ବୃକ୍ଷରୋପଣ, ଶ୍ରମଦାନ କରି ସେବା ସପ୍ତାହ ପାଳନ କରୁଛନ୍ତି । ବିଜେପି ସେପ୍ଟେମ୍ବର ୧୪ରୁ ୨୦ ଯାଏଁ ସେବା ସପ୍ତାହ ପାଳନ କରୁଛି । ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ । ସ୍ୱଚ୍ଛତା ହିଁ ସେବା, ସିଙ୍ଗଲ ୟୁଜ ପ୍ଲାଷ୍ଟିକରୁ ମୁକ୍ତି, ଜଳ ସଂରକ୍ଷଣ ଓ ସମ୍ବର୍ଦ୍ଧନ ସଂକଳ୍ପ ଲୋକଙ୍କ ନିକଟକୁ ପହଞ୍ଚାଇବା ଲକ୍ଷ୍ୟ ରଖାଯାଇଛି ।  ଏହି ଅବସରରେ  କେନ୍ଦ୍ର ମନ୍ତ୍ରୀ ଅମିତ ଶାହା ଓ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡା ଦିଲ୍ଲୀର ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଟ୍ଵିଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍ସ(ଏମ୍‌ସ)ରେ ଝାଡୁ ମାରିଥିବାର ନଜର ଆସିଛନ୍ତି। 

ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ଶୁକ୍ରବାର ଟୁଇଟ କରି କହିଛନ୍ତି, ସେବା ସପ୍ତାହ ଅବସରରେ ୧୧୦୦ ଆବର୍ଜନା କୁଣ୍ଡ ରଖାଯିବ । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନକୁ ସେବା ସପ୍ତାହ ଭାବେ ସମଗ୍ର ତ୍ରିପୁରାରେ ପାଳନ ହେବ । ତ୍ରିପୁରାର ସମସ୍ତ ୧୧୦୦ ପଂଚାୟତ ଓ ଗ୍ରାମ ସମିତି ବଜାରରେ ଆବର୍ଜନା କୁଣ୍ଡ ରଖାଯିବ । 

ଉତ୍ତରପ୍ରଦେଶର ହମୀରପୁରରେ ବିଜେପି ସଭାପତି ସ୍ୱତନ୍ତ୍ର ଦେବ ସିଂହ ରାଜ୍ୟ ମନ୍ତ୍ରୀ ଅଶୋକ କଟାରିଆ ଓ ରବୀନ୍ଦ୍ର ପ୍ରତାପ ସିଂହଙ୍କ ସହ ଶନିବାର ସେବା ସପ୍ତାହ ଅବସରରେ ରାସ୍ତାରେ ଝାଡୁ ମାରିଛନ୍ତି ।