ଶ୍ରୀମନ୍ଦିର ମାମଲା: ରିପୋର୍ଟ ଦାଖଲ ପାଇଁ ସମୟ ମାଗିଲେ ଆମିକସ୍‌ କ୍ୟୁରୀ

ନୂଆଦିଲ୍ଲୀ:ଆଜି ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ମାମଲାର ଶୁଣାଣୀ ହୋଇଛି । ପୁରୀ ଉଚ୍ଛେଦ ପ୍ରକ୍ରିୟାର ସମୀକ୍ଷା ରିପୋର୍ଟ ଦାଖଲ ପାଇଁ ଆମିକସ୍‌ କ୍ୟୁରୀ ଦୁଇ ସପ୍ତାହ ମାଗିଛନ୍ତି । ସମନ୍ୱୟ ରକ୍ଷା କରି ନିଷ୍ପତ୍ତି ନେବାକୁ କୋର୍ଟ ପରାମର୍ଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣୀ ଆସନ୍ତା ଅକ୍ଟୋବର ୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣୀ କରିବେ । ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ମାମଲାର ଶୁଣାଣୀ କରିଛନ୍ତି ।

ଏଠାରେ ଉଲ୍ଲେଖ ଯୋଗ୍ୟ, ପୁରୀରେ ଉଚ୍ଛେଦ ପ୍ରକ୍ରିୟାକୁ ବିରୋଧ କରି ଇଣ୍ଟର କଣ୍ଟିନେଣ୍ଟାଲ ଲୟର୍ସ ଆସୋସିଏସନ୍‌ର ଦେବାଶିଷ ମିଶ୍ର ଏବଂ ଚେନ୍ନାଇର ଏକ ଏନ୍‌ଜିଓ ଜଣେ ବ୍ୟକ୍ତି ଅରବିନ୍ଦ ଲୋଚନ୍ନା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ଆବେଦନକୁ ଖାରଜ କରି ଉଚ୍ଛେଦର ସମୀକ୍ଷା କରିବାକୁ ଆମିକସ୍‌ କ୍ୟୁରୀ ଓ ଆଡ଼ଭୋକେଟ୍‌ ଜେନେରାଲଙ୍କୁ କହିଥିଲେ । ତେବେ ଚଳିତ ମାସ ୭ ତାରିଖରେ ଆମିକସ୍‌ କ୍ୟୁରୀ ରଞ୍ଜିତ କୁମାର ପୁରୀ ଆସି ଉଚ୍ଛେଦ ପ୍ରକ୍ରିୟାର ଅନୁଧ୍ୟାନ କରିଥିଲେ । ପୁରୀକୁ ବିଶ୍ୱ ଐତିହ୍ୟରେ ସାମିଲ କରିବାକୁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିରେ ସେ ସହମତି ପ୍ରକାଶ କରିଥିଲେ । ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ଏବଂ ପୁରୀ ସହରରେ ବିଶ୍ୱ ଐତିହ୍ୟରେ ପରିଣତ କରିବାକୁ ଉଚ୍ଛେଦ କରାଯିବା ଉଚିତ ବୋଲି ଆମିକସ୍‌ କ୍ୟୁରୀ କହିଥିଲେ ।