ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସ ବିଶ୍ୱର ନଂ୧ ଧନୀ

ସାନ ଫ୍ରାନସିସକୋ : ଆମାଜନର ପ୍ରତିଷ୍ଠାତା ତଥା ସିଇଓ ଜେଫ ବେଜୋସ ପୁଣି ଥରେ ବିଶ୍ୱର ନଂ୧ ଧନୀର ମାନ୍ୟତା ପାଇଛନ୍ତି । ଏହା ସହିତ ସେ ମାଇକ୍ରୋସଫଟ ପ୍ରତିଷ୍ଠାତା ବିଲ ଗେଟସଙ୍କୁ ୨ୟ ସ୍ଥାନକୁ ଠେଲିଦେଇଛନ୍ତି ।

ଗତ ମାସରେ ଆମାଜନ ସେୟାର ମୂଲ୍ୟ ହ୍ରାସ ପାଇବା ପରେ ବେଜୋସଙ୍କ ସଂପତ୍ତି ପରିମାଣ ମଧ୍ୟ ହ୍ରାସ ପାଇଥିଲା । ଫଳରେ ବିଲ ଗେଟସ୍‌ ୧ନମ୍ବର ସ୍ଥାନକୁ ପହଞ୍ଚିଯାଇଥିଲେ । ୩ୟ ତ୍ରୈମାସ ( ଜୁଲାଇ-ସେପ୍ଟେମ୍ବର)ରେ ଆମାଜର ଲାଭ ହ୍ରାସ ପାଇବା ଦ୍ୱାରା ତାହାର ସେୟାର ମୂଲ୍ୟକମିଥିଲା । ଏହା ଫଳରେ ବେଜୋସଙ୍କ ସଂପତ୍ତି ପରିମାଣ ପ୍ରାୟ ୭ ବିଲିୟନ ଡଲାର ହ୍ରାସ ପାଇ ୧୦୩.୯ ବିଲିୟନ ଡଲାରରେ ପହଞ୍ଚିଥିଲା । କିନ୍ତୁ ଏବେ ପୁଣି ଆମାଜନର ସେୟାରମୂଲ୍ୟ ବୃଦ୍ଧି ପାଇଥିବାରୁ ବେଜୋସ ନଂ୧ ସ୍ଥାନକୁ ଉଠିଯାଇଛନ୍ତି । ଏହା ସହିତ ତାଙ୍କର ମୋଟ ସଂପତ୍ତି ପରିମାଣ ୧୦୯ ବିଲିୟନ ଡଲାରକୁ ବୃଦ୍ଧି ପାଇଛି । ଅବଶ୍ୟ ଶୁକ୍ରବାରଦିନ ଆମାଜନର ସେୟାର ମୂଲ୍ୟ ସାମାନ୍ୟ ହ୍ରାସ ପାଇଥିଲା । ୨ୟ ସ୍ଥାନରେ ଥିବା ବିଲ ଗେଟ୍ସଙ୍କ ସଂପତ୍ତିର ପରିମାଣ ୧୦୫.୮ ବିଲିୟନ ଡଲାର ରହିଛି ।  କିଛିଦିନ ତଳେ ପ୍ରକାଶିତ ଫୋର୍ବସ ଧନୀ ତାଲିକାରେ ମୁକେଶ ଅମ୍ବାନି ଭାରତର ନଂ୧ ଧନୀର ମାନ୍ୟତା ପାଇଥିଲେ ।