ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିଥିବା ଆମାଜନ ସିଇଓ ଜେଫ୍ ବେଜୋସ୍ ରାଜଘାଟରେ ପହଂଚି ମହାତ୍ମାଗାନ୍ଧୀଙ୍କୁ ଶ୍ରଦ୍ଧାଜ୍ଞଳି ଜ୍ଞାପନ କରିଛନ୍ତି । ଟୁଇଟ୍ କରି ସେ ରାଜଘାଟ ପରିଦର୍ଶନର ଏକ ଭିଡିଓ ସେୟାର କରିଛନ୍ତି ।
Just landed in India and spent a beautiful afternoon paying my respects to someone who truly changed the world. “Live as if you were to die tomorrow. Learn as if you were to live forever.” – Mahatma Gandhi. pic.twitter.com/xDXAT9cBgf
— Jeff Bezos (@JeffBezos) January 14, 2020
ଭିଡିଓରେ ଦେଖାଯାଉଛି ବେଜୋସ୍ ଧଳା କୁର୍ତା ଓ ପାଇଜାମା ଉପରେ କମଳା ରଙ୍ଗର ୱେଷ୍ଟେକାଟ୍ ପିନ୍ଧି ସ୍ମାରକୀ ସ୍ଥଳରେ ଫୁଲର ମାଳା ରଖୁଛନ୍ତି।
ଟୁଇଟ୍ କରି ସେ ଲେଖିଛନ୍ତି, ଏଇକ୍ଷଣି ଭାରତରେ ପହଂଚିଲି । ବିଶ୍ୱକୁ ଯିଏ ସତରେ ବଦଳାଇ ଦେଇଥିଲେ ତାଙ୍କୁ ସମ୍ମାନ ଜଣାଇବାରେ ସୁନ୍ଦର ଅପରାହ୍ଣଟିଏ ବିତାଇଲି। ମହାତ୍ମା ଗାନ୍ଧୀଙ୍କ ଉକ୍ତିକୁ ଉଦ୍ଧାର କରି ସେ ଲେଖିଛନ୍ତି, ଏ ଭଳି ବଂଚ ସତେ ଯେମିତି ଆସନ୍ତାକାଲି ତୁମର ମରଣ ହେବ। ଏମିତି ଶିଖ ସତେ ଅବା ତୁମେ ଚିରକାଳ ବଂଚିରହିବ।
ତିନିଦିନିଆ ଭାରତ ଗସ୍ତରେ ଆସି ମଙ୍ଗଳବାର ଦିନ ବେଜୋସ୍ ଏଠାରେ ପହଂଚିଛନ୍ତି। ‘ଏମ୍ଏସ୍ଏମ୍ଇ’ ନିମନ୍ତେ ଆମାଜନ୍ ଆୟୋଜନ କରିଥିବା ଏକ କାର୍ଯ୍ୟକ୍ରମରେ ସେ ଯୋଗ ଦେବେ। ଏହା ପରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବେ। ଏଥିସହ ସେ ମୁମ୍ବାଇରେ ଶୀର୍ଷସ୍ତରୀୟ ବ୍ୟବସାୟୀ ଓ ବଲିଉଡ୍ର ସେଲିବ୍ରିଟିମାନଙ୍କୁ ଭେଟିବେ ବୋଲି କୁହାଯାଉଛି।
ମାତ୍ରାଧିକ ରିହାତି ଏବଂ କେତେକ ନିର୍ଦ୍ଦିଷ୍ଟ ବିକ୍ରେତାଙ୍କ ସହ ବ୍ୟାବସାୟିକ ରାଜିନାମା ସମେତ ଏକାଧିକ ଅଭିଯୋଗରେ ଆମାଜନ୍ ବିରୋଧରେ ଅଭିଯୋଗର ତଦନ୍ତ ଆରମ୍ଭ ହୋଇଥିବା ସମୟରେ ବେଜୋସ୍ ଭାରତ ଗସ୍ତରେ ଆସିଛନ୍ତି।
ବେଜୋସ୍ଙ୍କ ଭାରତ ଗସ୍ତ ପୂର୍ବରୁ, ଅର୍ଥାତ୍ ସୋମବାର ଦିନ ‘କମ୍ପିଟିସନ୍ କମିସନ୍ ଅଫ୍ ଇଣ୍ଡିଆ’ (ସିସିଆଇ) ଉଭୟ ଆମାଜନ୍ ଏବଂ ଫ୍ଲିପ୍କାଟ୍ ବିରୋଧରେ ତଦନ୍ତାଦେଶ ଦେଇଛି।
‘ଦିଲ୍ଲୀ ବ୍ୟାପାର ମହାସଂଘ’ କରିଥିବା ଅଭିଯୋଗ ଯଥାର୍ଥ ବୋଲି ‘ସିସିଆଇ’ ବିବେଚନା କରିଛି। ତେଣୁ ୬୦ ଦିନ ମଧ୍ୟରେ ଏହାର ତଦନ୍ତ କରିବାକୁ ‘ସିସିଆଇ’ ନିଜର ମହାନିର୍ଦେଶକଙ୍କୁ କହିଛି।
ବେଜୋସ୍ଙ୍କ ଭାରତ ଗସ୍ତ ସମୟରେ ‘କନ୍ଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) ଅଧୀନରେ ଦେଶରେ ଥିବା ୩୦୦ ସହରର ବ୍ୟବସାୟୀମାନେ ପ୍ରତିବାଦ ପ୍ରଦର୍ଶନ କରିବେ ବୋଲି ଚେତାବନୀ ଦେଇଛନ୍ତି।