ବିଶ୍ୱସ୍ତରୀୟ ପାଠାଗାରରେ ପରିଣତ ହେବ ଐତିହାସିକ ଏମାର ମଠର ‘ରଘୁନନ୍ଦନ ଲାଇବ୍ରେରି’

ପୁରୀ: ଶ୍ରୀକ୍ଷେତ୍ରରେ ଥିବା ଐତିହାସିକ ଏମାର ମଠର ‘ରଘୁନନ୍ଦନ ଲାଇବ୍ରେରି’ ବିଶ୍ୱସ୍ତରୀୟ ପାଠାଗାରରେ ପରିଣତ ହେବ। ଏଥି ପାଇଁ ପ୍ରଶାସନ ଉଦ୍ୟମ କରୁଛି। ଲାଇବ୍ରେରିର ସୁରକ୍ଷା ପାଇଁ ସବୁ ପ୍ରକାରର ବନ୍ଦୋବସ୍ତ କରାଯିବ ବୋଲି ପୁରୀ ଜିଲ୍ଲାପାଳ ବଳଓ୍ଵନ୍ତ ସିଂହ ବୁଧବାର ସୂଚନା ଦେଇଛନ୍ତି। ମଠକୁ ଭଙ୍ଗାଯିବା ପରେ ଲାଇବ୍ରେରିକୁ ଅନ୍ୟତ୍ର ସ୍ଥାନାନ୍ତର ନ କରାଯାଇ ପୁଣି ଥରେ ପୂର୍ବରୁ ଥିବା ସ୍ଥାନରେ ଅତ୍ୟାଧୁନିକ ପାଠାଗାର ପାଇଁ କୋଠା ନିର୍ମାଣ ହେବ। ଲାଇବ୍ରେରିକୁ ଡିଜିଟାଲାଇଜେଶନ କରିବା ପାଇଁ ଉଦ୍ୟମ କରାଯିବ।

ଜିଲ୍ଲାପାଳ କହିଛନ୍ତି, ରଘୁନନ୍ଦନ ଲାଇବ୍ରେରିରେ ୪୦୦୦ ରୁ ୫୦୦୦ ପୁସ୍ତକ ରହିଛି। ଏଠାରେ ବିରଳ ଜିନିଷ ଯଥା ଗ୍ରନ୍ଥାବଳୀ, ତାଳପତ୍ର ପୋଥି ଆଦି ମୂଲ୍ୟବାନ ଜିନିଷ ରହିଛି। ଆଗାମୀ ଦୁଇ ବର୍ଷ ପରେ ଅର୍ଥାତ ୨୦୨୧ରେ ଶହେ ବର୍ଷ ପୂର୍ତ୍ତି ଅବସରରେ ରଘୁନନନ୍ଦନ ଲାଇବ୍ରେରି ଅତ୍ୟାଧୁନିକ ରୂପରେ ଲୋକାର୍ପଣ ହେବ।

ବିଶ୍ୱ ଐତିହ୍ୟସ୍ଥଳୀ କରିବା ପାଇଁ ଶ୍ରୀମନ୍ଦିର ଚାରିପାଖରୁ ୭୫ ମିଟର ପର୍ଯ୍ୟନ୍ତ ଅଞ୍ଚଳରେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ଲଙ୍ଗୁଳି ମଠ ଭାଙ୍ଗିବା ପରେ ବୁଧବାର ଐତିହାସିକ ଏମାର ମଠ ଭଙ୍ଗାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ମଠକୁ ଭାଙ୍ଗିବା ପାଇଁ ଜିଲ୍ଲା ପ୍ରଶାସନ ଆଜି ମଠର ମହନ୍ତଙ୍କୁ  ବିଧିବଦ୍ଧ ଭାବେ ନୋଟିସ୍‌ କରିଛି। ତେବେ ଏହି ନୋଟିସକୁ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ମହନ୍ତ ଗ୍ରହଣ କରିନାହାନ୍ତି । ଫଳରେ କାନ୍ଥରେ ଲଟକା ଲଗାଇ ଦେଇଛି ମୁନିସିପାଲିଟି। ଶ୍ୱାସ ଥିବାରୁ ସେ ବାହାରକୁ ବାହାରି ପାରିବେ ନାହିଁ ବୋଲି କହି ନୋଟିସ ଗ୍ରହଣ କରିନାହାନ୍ତି  ମହନ୍ତ।