ଭୁବନେଶ୍ୱର:ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ନେଇଥିବା ନିଷ୍ପତ୍ତି ଅନୁଯାୟୀ ବିପଜ୍ଜନକ ଓ ସମ୍ବେଦନଶୀଳ ସ୍ଥାନରେ ନିୟୋଜିତ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ଯବାନ ଓ ଅଫିସରଙ୍କ ରିସ୍କ/ ହାର୍ଡଶିପ୍ ଭତ୍ତାରେ ବୃଦ୍ଧି କରାଯାଇଥିବାବେଳେ ଏହା ଓଡ଼ିଶାରେ ନିୟୋଜିତ କର୍ମଚାରୀଙ୍କ କ୍ଷେତ୍ରରେ ଲାଗୁ ହୋଇଥିବା ଜଣାପଡ଼ିଛି। ଏନେଇ ମନ୍ତ୍ରଣାଳୟ ତରଫରୁ ବିଜ୍ଞପ୍ତି ଜାରି କରାଯାଇଛି। କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ ଅର୍ଦ୍ଧସାମରିକ ବାହିନୀର ବାହିନୀ ଯବାନମାନଙ୍କର ରିସ୍କ/ହାର୍ଡଶିପ୍ ଭତ୍ତା ବୃଦ୍ଧି କରାଯିବା ଫଳରେ, ନକ୍ସଲ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳ ତଥା ଜମ୍ମୁ-କଶ୍ମୀର ରେ କାର୍ଯ୍ୟରତ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀର କର୍ମଚାରୀମାନେ ଉପକୃତ ହେବେ ବୋଲି ପୂର୍ବରୁ ସୂଚନା ଦିଆଯାଇଥିଲା।
ଏହି କ୍ରମରେ ଓଡ଼ିଶାରେ କାର୍ଯ୍ୟରତ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀର କର୍ମଚାରୀ ତଥା ଅଧିକାରୀ ଯିଏ କି ନକ୍ସଲ ଦମନ ବିରୋଧୀ ଅଭିଯାନରେ ନିୟୋଜିତ ଅଛନ୍ତି, ସେମାନେ ମଧ୍ୟ ଉପକୃତ ହେବେ। ଓଡ଼ିଶାର ମାଲକାନଗିରି ଅଞ୍ଚଳରେ ପଦସ୍ଥ କର୍ମଚାରୀଙ୍କ ରିସ୍କ/ହାର୍ଡ଼ଶିପ୍ ଭତ୍ତା ଇନ୍ସପେକଟର ପଦ ପର୍ଯ୍ୟନ୍ତ ୯୭୦୦ ଟଙ୍କାରୁ ୧୭୩୦୦ ଟଙ୍କାକୁ ବୃଦ୍ଧି କରାଯାଇଛି, ଉଚ୍ଚ ଅଧିକାରୀଙ୍କ ଭତ୍ତା ୧୬୯୦୦ ଟଙ୍କାରୁ ୨୫୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।