ମହାରାଷ୍ଟ୍ର : ଶପଥ ଗ୍ରହଣ ପୂର୍ବରୁ ସର୍ବନିମ୍ନ ସାଧାରଣ କାର୍ଯ୍ୟକ୍ରମ ଜାରି କଲା ମେଣ୍ଟ

ମୁମ୍ବାଇ : ମହାରାଷ୍ଟ୍ରରେ ଶପଥ ନେବାକୁ ଯାଉଥିବା ଶିବସେନା, କଂଗ୍ରେସ ଓ ଏନସିପି ମିଳିତ ସରକାର ନିଜର ସର୍ବନିମ୍ନ ସାଧାରଣ କାର୍ଯ୍ୟକ୍ରମ ପ୍ରକାଶ କରିଛନ୍ତି । ଶିବସେନାର ବିରୋଧ ସତ୍ତ୍ୱେ ଏଥିରେ ଧର୍ମନିରପେକ୍ଷତା ଉପରେ ଗୁରୁତ୍ୱ ଦିଆଯାଇଛି । ଦେଶର ଧର୍ମନିରପେକ୍ଷତାକୁ ରକ୍ଷା କରିବାକୁ ଏହାର ପ୍ରଥମ ଧାଡିରେ ହିଁ ସ୍ପଷ୍ଟ କରିଦିଆଯାଇଛି । ଅଦିନିଆ ବର୍ଷା ଓ ମରୁଡି ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଚାଷୀମାନଙ୍କୁ ତୁରନ୍ତ ସହାୟତା ପ୍ରଦାନ କରାଯିବ ବୋଲି ଏଥିରେ କୁହାଯାଇଛି । ତୁରନ୍ତ ଚାଷୀମାନଙ୍କର ଋଣଛାଡ କରାଯିବାକୁ ଘୋଷଣା କରାଯାଇଛି । ସେହିପରି ଲୋକମାନଙ୍କୁ ମାତ୍ର ୧ ଟଙ୍କା ମୂଲ୍ୟରେ ସ୍ୱାସ୍ଥ୍ୟସେବା ଯୋଗାଇଦିଆଯିବାକୁ ପ୍ରତି ତାଲୁକା (ତହସିଲ)ରେ ଟଙ୍କିକିଆ କ୍ଲିନିକ ଖୋଲାଯିବ । ଏହାଛଡା ବେରୋଜଗାରୀ ଦୂରୀକରଣ, ନାରୀ ସୁରକ୍ଷା, ଶିକ୍ଷା, ସହରାଞ୍ଚଳ ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି ।

ଏସବୁ କାର୍ଯ୍ୟକ୍ରମକୁ ସୁଚାରୁଭାବେ କାର୍ଯ୍ୟକାରୀ କରିବାକୁ ଦୁଇଟି ସମନ୍ଵୟ କମିଟି ରହିବ । ଗୋଟିଏ କ୍ୟାବିନେଟ ମଧ୍ୟରେ ମନ୍ତ୍ରୀମାନଙ୍କୁ ନେଇ ଗଠିତ ହେବ । ଅନ୍ୟଟି ମେଣ୍ଟ ସହଯୋଗୀଙ୍କ ସ୍ତରରେ ଗଠନ କରାଯିବ । ଅନ୍ୟପକ୍ଷରେ ଏନସିପିର ଚର୍ଚ୍ଚିତ ନେତା ଅଜିତ ପାଓ୍ଵାର ଆଜି ଶପଥ ଗ୍ରହଣ କରିବେ ନାହିଁ ବୋଲି ଜଣାଯାଇଛି ।