ସଟ୍ ଡାଉନ୍ ତାଲିକାରେ ସାମିଲ ହେଲା ଯାଜପୁର ଜିଲ୍ଲାର ଏହି ସମସ୍ତ ଅଂଚଳ

ଯାଜପୁର: ଯାଜପୁର ପୌରାଂଚଳ, ବ୍ୟାସନଗର ପୌରାଂଚଳ, ଚଣ୍ଡିଖୋଲ, ପାଣିକୋଇଲି ଛକ ଓ ଆଖପାଖ ଅଂଚଳକୁ ସଟ୍ ଡାଉନ୍ ଘୋଷଣା କରାଯାଇଛି । ଏହାଛଡ଼ା ସମସ୍ତ ବ୍ଲକ ମୁଖ୍ୟାଳୟ, ନେଉଳପୁର, ଚାରିନଙ୍ଗଳ, ସାଧବପୁରକୁ ମଧ୍ୟ ଶଟ୍‌ ଡାଉନ୍‌ ଘୋଷଣା କରିଛନ୍ତି ଜିଲ୍ଲାପାଳ ରଞ୍ଜନ କୁମାର ଦାସ। ଆଜି ରାତି ୮ଟାରୁ ୬ ତାରିଖ ରାତି ୮ଟା ଯାଏ ନିୟମ କଡ଼ାକଡ଼ି ରହିବ। ଏହି ସମୟରେ ସମସ୍ତ ଦୋକାନ ବଜାର ବନ୍ଦ ରହିବ। କେବେଳ ଔଷଧ ଦୋକାନ ଖୋଲା ରହିବ। ବ୍ରହ୍ମବରଦାରେ ଜଣେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଯାଜପୁର ଜିଲ୍ଲାପାଳ ଏପରି ପଦକ୍ଷେପ ନେଇଛନ୍ତି।

ଗତକାଲି ବ୍ରହ୍ମବରଦା ଅଂଚଳରୁ ଜଣେ କରୋନା ଚିହ୍ନଟ ହୋଇଥିଲେ। ଏହା ପରେ ଜିଲ୍ଲା ପ୍ରଶାସନ ତତ୍ପର ହୋଇଥିଲା। ଗତକାଲି ରାତିରେ ହିଁ ବ୍ରହ୍ମବରଦା ପଂଚାୟତର ପ୍ରବେଶ ଓ ପ୍ରସ୍ଥାନ ପଥକୁ ସିଲ୍‌ କରିଦେଇଛନ୍ତି। କରୋନା ରେ ଆକ୍ରନ୍ତ ବ୍ୟକ୍ତି ଜଣକ ହେଉଛନ୍ତି ମୌଲବି। ସେ ନଜାମୁଦ୍ଦିନ୍‌ ଧର୍ମ ସଭାରେ ଯୋଗଦେଇ ଗତ ୧୮ ତରିଖରେ ଘରକୁ ଫେରିଥିଲେ। ଘରକୁ ଫେରିବା ପରେ ସେ ଜିଲ୍ଲାର ବିଭିନ୍ନ ଧର୍ମ ସଭାରେ ଯୋଗଦେଇଥିଲେ। ସେଥିପାଇଁ ସେ ଯାଇଥିବା ସ୍ଥାନ ଗୁଡ଼ିକ ସିଲ୍‌ କରାଯାଉଛି। ପଚରାଉଚରା ବେଳେ ସେ ୧୩ ଜଣଙ୍କ ସଂସ୍ପର୍ଶରେ ଆସିଥିବା ପ୍ରକାଶ କରିଛନ୍ତି। ମାତ୍ର ଏଥିରେ ବିଶ୍ୱାସ ହେଉନାହିଁ। କାରଣ ସେ ଜଣେ ମୌଲବି ହୋଇଥିବାରୁ ଅଧିକ ଲୋକଙ୍କୁ ଭେଟିଥିବା ଅନୁମାନ କରାଯାଉଛି। ତେବେ ମୌଲବିଙ୍କ ସଂସ୍ପର୍ଶରେ ଆସିଥିବା  ୧୩ ଜଣଙ୍କୁ ବର୍ତମାନ କ୍ୱାରେନଂଟାଇନ୍ ରେ ରଖାଯାଇ ସେମାନଙ୍କ ରକ୍ତ ନମୂନା ସଂଗ୍ରହ କରାଯାଉଛି ବୋଲି ଜିଲ୍ଲାପାଳ ରଞ୍ଜନ କୁମାର ଦାସ କହିଛନ୍ତି।