ପ୍ରତ୍ୟେକ ଶୁକ୍ରବାର ସାଇକେଲରେ ଅଫିସ ଯିବେ ସରକାରୀ କର୍ମଚାରୀ

ବାୟୁ ପ୍ରଦୂଷଣକୁ ମୁକ୍ତ କରିବା ପାଇଁ ନୂଆ ପ୍ରୟାସ

ଭୁବନେଶ୍ୱର: ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଏକ ନୂଆ ପ୍ରୟାସ ଆରମ୍ଭ ହୋଇଛି । ଭୁବନେଶ୍ୱରର ୩ଟି ସରକାରୀ ଅନୁଷ୍ଠାନ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍(ବିଏମଏସିଏଲ), ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ(ବିଡିଏ) ଏବଂ ଭୁବନେଶ୍ୱର ମହାନଗର ନିଗମ(ବିଏମସି)ର ପ୍ରତ୍ୟେକ କର୍ମଚାରୀ ପ୍ରତ୍ୟେକ ଶୁକ୍ରବାର ସାଇକେଲରେ କିମ୍ବା ଚାଲି ଚାଲି ଅଫିସ ଯିବେ । ଏନେଇ ନୋଟିସ୍ ଜାରି କରିଛନ୍ତି ବିଡିଏ ଉପାଧ୍ୟକ୍ଷ ଓ ବିଏମସି କମିଶନର। ଗତକାଲି ତିନିଟି ଅନୁଷ୍ଠାନର ପରିଚାଳକ ଥିବା ପ୍ରେମଚନ୍ଦ୍ର ଚୌଧୁରୀ ଏନେଇ ବିଭାଗୀୟ ମୁଖ୍ୟଙ୍କୁ ନିର୍ଦ୍ଦେଶ ଜାରି କରିଥିଲେ।

ନିର୍ଦ୍ଦେଶ ଅନୁଯାୟୀ, ସପ୍ତାହର ପ୍ରତି ଶୁକ୍ରବାର ସମସ୍ତ କର୍ମଚାରୀ ସାଇକେଲ୍ କିମ୍ବା ଚାଲି ଚାଲି ଅଫିସ ଆସିବା ବାଧ୍ୟତାମୂଳକ।  ଅଫିସ କାମ ପାଇଁ ଅଫିସରଙ୍କ ନିମନ୍ତେ ନିୟୋଜିତ ଗାଡ଼ି ବି ଶୁକ୍ରବାର ମନା। ପରିବେଶ ସୁରକ୍ଷା ଦିଗରେ ଏହା ନିଶ୍ଚିତ ରୂପେ ଉଦାହରଣ ସୃଷ୍ଟି କରିବାକୁ ଯାଉଛି। ରାଜ୍ୟରେ ଏପରି ପ୍ରୟାସ ପ୍ରଥମ ବୋଲି କୁହାଯାଉଛି।

ଭୁବନେଶ୍ଵରରେ ସାର୍ବଜନୀନ  ପରିବହନ ବ୍ୟବସ୍ଥା ଥିଲେ ମଧ୍ୟ ତାହା ରାସ୍ତାରେ ଗାଡ଼ି ସଂଖ୍ୟା କମାଇବାରେ ବିଶେଷ ସହାୟକ ହେଉ ନାହିଁ। ତେଣୁ ରାଜଧାନୀର  ତିନି ପ୍ରମୁଖ ସରକାରୀ ଅନୁଷ୍ଠାନର ସମସ୍ତ କର୍ମଚାରୀଙ୍କୁ ପ୍ରତି ଶୁକ୍ରବାର ଚାଲି ଚାଲି କିମ୍ବା ସାଇକେଲରେ ଅଫିସ ଆସିବାକୁ କୁହାଯାଇଛି। ତିନୋଟି ଅଫିସରେ କାମ କରୁଥିବା ଛୋଟ ବଡ଼ ସବୁ ଅଧିକାରୀ, ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀ ସମସ୍ତଙ୍କ ଲାଗି ଲାଗୁ କରାଯାଇଛି।