ବଡ଼ଦାଣ୍ଡରୁ ଅପରାହ୍ନ ୪ ଟା ସୁଦ୍ଧା ସମସ୍ତ ଦୋକାନଗୁଡ଼ିକୁ ଉଠାଇବାକୁ ନିର୍ଦ୍ଦେଶ

ପୁରୀ : ରାତି ପାହିଲେ ମହାପ୍ରଭୁ ଜଗନ୍ନାଥଙ୍କର ରଥଯାତ୍ରା। ଆଉ କିଛି ସମୟ ପରେ ରଥଯାତ୍ରା ମାମଲାରେ ସୁପ୍ରିମକୋର୍ଟର ୩ ଜଣିଆ ଖଣ୍ଡପୀଠ ଦ୍ୱାରା ଣୁଣାଣି କରାଯିବ। ତେବେ ସେହି ଆଶାକୁ ନେଇ ଏବେ ବଡ଼ଦାଣ୍ଡରୁ ଉଠୁଛନ୍ତି ଉଠାଦୋକାନୀ। ସମସ୍ତ ଉଠା ଦୋକନୀଙ୍କୁ ଉଠିଯିବା ପାଇଁ ପୁରୀ ପୌରପାଳିକା ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ଶ୍ରୀମନ୍ଦିରରୁ ଗୁଣ୍ଡିଚାମନ୍ଦିର ଯାଏଁ ରହିଥିବା ସମସ୍ତ ଉଠାଦୋକାନୀଙ୍କୁ ତୁରନ୍ତ ଜାଗା ଖାଲି କରି ଉଠିଯିବାକୁ ପୁରୀ ମୁନିସିପାଲିଟି ପକ୍ଷରୁ  ଘୋଷଣା କରାଯାଇଛି। ଅପରାହ୍ନ ୪ ଟା ସୁଦ୍ଧା ସମସ୍ତ ଦୋକାନଗୁଡ଼ିକୁ ଉଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପଟେ ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବର୍ତ୍ତମାନ ଚାଲିଛି ରୁଦ୍ଧ ଦ୍ୱାର ବୈଠକ। ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳଙ୍କ ସହ ପରିଚାଳନା କମିଟିର ଅନ୍ୟ ସଦସ୍ୟମାନଙ୍କ ଉପସ୍ଥିତିରେ ଏହି ବୈଠକ ଅନୁଷ୍ଠିତ ହେଉଛି। ସୁପ୍ରିମକୋର୍ଟର ଶୁଣାଣି ପରେ କାର୍ଯ୍ୟସୂଚୀ ବିଷୟରେ ଆଲୋଚନା ହେଉଥିବାର ସୂଚନା ମିଳିଛି।