କୋରୋନା ଭୟ; ଆଜିଠୁ କଟକ-ଭୁବନେଶ୍ୱରରେ ସମସ୍ତ ସପିଂ ମଲ ବନ୍ଦ

ଭୁବନେଶ୍ୱର: କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠୁ କଟକ-ଭୁବନେଶ୍ୱରରେ ସମସ୍ତ ସପିଂ ମଲ ବନ୍ଦ ରହିବ । ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସମସ୍ତ ମଲ ବନ୍ଦ ରହିବା ନେଇ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଟ୍ୱିଟ କରି ସୂଚନା ଦେଇଛନ୍ତି ।

କୋରୋନା ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଆଜି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଓଡ଼ିଶାର ପ୍ରଥମ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଚିନ୍ତା ବଢିଛି । ତେଣୁ କୋରୋନା ସଂକ୍ରମଣ ରୋକିବା ପାଇଁ ଓଡିଶା ସହରାଂଚଳ ପୋଲିସ ଆଇନର ଧାରା ୩୫ ଅନୁସାରେ ଆଗାମୀ ମାର୍ଚ୍ଚ ୩୧ ତାରିଖ ଯାଏଁ ସମସ୍ତ ମଲ ବନ୍ଦ ରହିବ ବୋଲି ଟ୍ୱିଟ କରି ସୂଚନା ଦେଇଛି କମିଶନରେଟ ପୋଲିସ । ଏପରିକି କମିଶନରେଟ ପୋଲିସ ଅଂଚଳରେ ଯେଭଳି କୌଣସି ମଲ ଖୋଲା ନରୁହେ ସେଥିପାଇଁ ପଦକ୍ଷେପ ନେବାକୁ ଉଭୟ କଟକ ଓ ଭୁବନେଶ୍ୱର ଡିସିପିଙ୍କୁ ସେ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।


ମାର୍ଚ୍ଚ ୩୧ ଯାଏଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ସିନେମା ହଲ, ସୁଇମିଂ ପୁଲ ଓ ଜିମ୍ ବନ୍ଦ ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏବେ କଟକ-ଭୁବନେଶ୍ୱରରେ ସପିଂ ମଲ ବନ୍ଦ କରିବାକୁ ନିଷ୍ପତି କରି କମିଶନରେଟ ପୋଲିସ ଏଥିରେ ଆଉ ଗୋଟିଏ ପଦକ୍ଷେପ ନେଇଛି । ସେମିନାର, ୱାର୍କସପ୍, ଜନସମାଗମ, କନଫରେନ୍ସ ଉପରେ କଟକଣା ଲଗାଯାଇଛି । ଧର୍ମୀୟ ଉତ୍ସବ ଓ ବିବାହ ଭୋଜି ଭଳି ସାମାଜିକ କାର୍ଯ୍ୟକ୍ରମ ଗୁଡିକୁ ନିୟନ୍ତ୍ରିତ କରାଯାଉଛି । ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ନ ଯିବାକୁ ପର୍ଯ୍ୟଟକଙ୍କ ଉପରେ କଟକଣା ଲଗାଯାଇଛି । ଅନ୍ୟପକ୍ଷରେ ଗଞ୍ଜାମ, ଖୋର୍ଦ୍ଧା, ଗଜପତି ଓ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି ।