କଟକରେ ଖୋଲିଲା ସବୁ ପାର୍କ

କଟକ: ଲକ ଡାଉନର ୪ର୍ଥ ପର୍ଯ୍ୟାୟ ବର୍ତମାନ ଜାରି ରହିଛି । ଆଉ ସରକାର ବି ତାଲା ବନ୍ଦ କଟକଣାରେ ବହୁତ କୋହଳନୀତି ଅବଲମ୍ବନ କରିଛନ୍ତି । ହେଲେ ସବୁ ସ୍ଥାନରେ ସାମାଜିକ ଦୂରତା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି । ବିଭିନ୍ନ ଦୋକାନ ବଜାର ଖୋଲିବା ସହ ଅଣଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ବି ଏବେ ଖୋଲିଛି । ଏହା ଭିତରେ ଦୀର୍ଘ ଦୁଇ ମାସ ଧରି ବନ୍ଦ ରହିଥିବା କଟକର ସବୁ ପାର୍କ ଖୋଲିଥିବା ସୂଚନା ମିଳିଛି । ତେବେ ପାର୍କ ଖୋଲିବା ନେଇ କଟକ ମହାନଗର ନିଗମ ପକ୍ଷରୁ ଟ୍ୱିଟ ଯୋଗେଁ ସୂଚନା ପ୍ରଦାନ କରିଛନ୍ତି ।

ତେବେ ସକାଳ ୭ଟାରୁ ଦିନ ୧୦ ଟା ଏବଂ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ଯାଏଁ ପାର୍କ ଖୋଲା ରହିବ ବୋଲି ସୂଚନା ଦିଆଯାଇଛି । ହେଲେ ପାର୍କ ଭିତରେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିବାକୁ କଡା ନିର୍ଦ୍ଦେଶ ରହିଛି । ଏହାଛଡା ପାର୍କରେ ଥିବା ଦୋଳି ଓ ଜିମ୍ ଉପକରଣ ବ୍ୟବହାର ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ପୂର୍ବରୁ ଭୁବନଶ୍ୱରରେ ଫରେଷ୍ଟ ପାର୍କ ଓ ଆଇଜି ପାର୍କ ଖୋଲା ହୋଇସାରିଛି ।