ଭୁବନେଶ୍ୱର: ୩ବର୍ଷ ମଧ୍ୟରେ ରାଜ୍ୟର ସବୁ ପଂଚାୟତରେ ହେବ ପକ୍କାଘର । ବିଜୁ ପକ୍କା ଘର ଓ ଆବାସ ଯୋଜନାରେ ସମସ୍ତଙ୍କୁ ପକ୍କା ଘର ଯୋଗାଇ ଦେବାକୁ ସରକାର ଚେଷ୍ଟା ଚଳାଇଥିବା ପଂଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ଏ ନେଇ ମାର୍ଚ୍ଚ ୫ତାରିଖରେ ବିଜୁ ଜୟନ୍ତୀ ଓ ପଂଚାୟତିରାଜ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ଘୋଷଣା କରିପାରନ୍ତି।
ତେବେ ମାର୍ଚ୍ଚ ୫ରେ ବିଜୁ ଜୟନ୍ତୀ ଓ ପଂଚାୟତିରାଜ ଦିବସକୁ ବଡ଼ ଆକାରରେ ପାଳନ କରିବ ବିଜେଡି । ୫ମ ଥର ଲାଗି ରାଜ୍ୟରେ ବିଜେଡି ଶାସନ କ୍ଷମତାକୁ ଆସିଥିବା ବେଳେ ଗତ ୨୦ବର୍ଷ ସରକାରରେ ରହିବା ମଧ୍ୟରେ ଯେଉଁସବୁ ସଫଳ ଜନକଲ୍ୟାଣକାରୀ ଯୋଜନା କରାଯାଇଛି ତା’ର ରାଜ୍ୟବ୍ୟାପୀ ପ୍ରଚାର ମଧ୍ୟ କରାଯିବ। ସମସ୍ତ ୩୩ଟି ସାଂଗଠନିକ ଜିଲ୍ଲାରେ ଜୋରଦାର ଉତ୍ସବ ପାଳନ ପାଇଁ ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଉଲ୍ଲେଖଯେଗ୍ୟ, ମାର୍ଚ୍ଚ ୫ ତାରିଖରେ ବିଜେଡି ସରକାର ଓଡ଼ିଶାରେ ନିଜର ୨୦ ବର୍ଷର ଶାସନ ପୂରା କରିବ ଏବଂ ବିଜେଡି ଯୁବ ଓ ମହିଳା ସଦସ୍ୟଙ୍କ ସହ ୭ଦିନ ବ୍ୟାପି ଜୟନ୍ତୀ ପାଳନ କରିବ । ଏହା ସହିତ ବିଜେଡି ଦଳ ବ୍ୟତୀତ ଓଡ଼ିଶା ସରକାରଙ୍କ ପକ୍ଷରୁ ମଧ୍ୟ ବିଜୁ ବାବୁଙ୍କ ଜନ୍ମମାଟି କଟକରେ ଏକ ବିରାଟ ସମାରୋହ ଆୟୋଜନ କରାଯିବ । ରାଜ୍ୟରେ ସମସ୍ତ ବ୍ଲକ, ନିର୍ବାଚନ ମଣ୍ଡଳୀରେ ପାଳନ କରାଯିବକୁ ନିଷ୍ପତି ନିଆଯାଇଛି। ବିଜୁ ବାବୁଙ୍କ ସାହାସିକତା ଓ ଓଡ଼ିଶା ଗଢିବାରେ ବଳିଦାନର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଯିବ । ଏହା ସହ ୨୦ ବର୍ଷର ସଫଳତା କଥା ବି ଲୋକଙ୍କ ପାଖକୁ ପହଞ୍ଚାଇବ ଦଳ।