ଆଜିଠାରୁ ଟ୍ରକ୍ ଧର୍ମଘଟ : ରାଜ୍ୟର ୯୨ ହଜାର ଟ୍ରକ ଚକାଜାମ

କଟକ : ଟୋଲ୍ ଗେଟ୍ ଉଚ୍ଛେଦ, ଡିଜେଲ ମୂଲ୍ୟ ହ୍ରାସ, ତୃତୀୟ ପକ୍ଷ ବୀମା ପ୍ରମିୟମ୍ରେ ହ୍ରାସ ସମେତ ୬ ଦଫା ଦାବି ନେଇ ଅଖିଳ ଭାରତୀୟ ମୋଟର ପରିବହନ କଂଗ୍ରେସ (ଏଆଇଏମ୍ଟିଏସ୍) ପକ୍ଷରୁ ଆଜି ଠାରୁ ଟ୍ରକ ଧର୍ମଘଟ ଆରମ୍ଭ ହେଉଛି । ଧର୍ମଘଟରେ ଦେଶର ୯୩ ଲକ୍ଷ ଟ୍ରକ ସହ ରାଜ୍ୟର ପ୍ରାୟ ୨ ଲକ୍ଷ ଟ୍ରକ ସାମିଲ ହେବେ ବୋଲି ରାଜ୍ୟ ଟ୍ରକ ମାଲିକ ମହାସଂଘର ସାଧାରଣ ସଂପାଦକ ରବି ନାରାୟଣ ଶତପଥୀ ସୂଚନା ଦେଇଛନ୍ତି । ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପକୁ ଏଆଇଏମ୍ଟିସି ପକ୍ଷରୁ ବିରୋଧ କରାଯାଇ ଧର୍ମଘଟ ଡାକରା ଦିଆଯାଇଥିଲା । ରାଜ୍ୟର ପାଖାପାଖି ୯୨ ହଜାର ଟ୍ରକ ମାଲିକ ଚକାଜାମ ଆନ୍ଦୋଳନରେ ସାମିଲ ହୋଛନ୍ତି । ସୂଚନାଯୋଗ୍ୟ ଯେ, ସଂଘ ପକ୍ଷରୁ ଦାବି ପୂରଣ ପାଇଁ ବାରମ୍ବାର ଆଲୋଚନା କରାଯାଇଥିଲେ ମଧ୍ୟ ତାହା ଫଳପ୍ରଦ ହୋଇନାହିଁ । ସରକାର ଏ ଦିଗରେ କୌଣସି ପଦକ୍ଷେପ ନନେବାରୁ ଧର୍ମଘଟ କରିବାକୁ ଏଆଇଏମ୍ଟିସି ବାଧ୍ୟ ହୋଇଛି ବୋଲି ଶ୍ରୀ ଶତପଥୀ କହିଛନ୍ତି । ପ୍ରତି ୬୦ କିଲୋମିଟର ଦୂରରେ ଗୋଟିଏ ଗୋଟିଏ ଟୋଲ ଗେଟ ରହିଛି । ଏହାଦ୍ୱାରା ମାଲ ପରିବହନରେ ସମସ୍ୟା ସୃଷ୍ଟି ହେବା ସହିତ ଡିଜେଲ ଅପଚୟ ହେଉଛି । ତେଣୁ ସରକାର ଟୋଲ ଗେଟକୁ ଉଚ୍ଛେଦ କରିବା ସହିତ ବିକଳ୍ପ ଭାବେ
ଟିକସ ଆଦାୟ କରାଯିବା ଉପରେ ସଂଘ ପକ୍ଷରୁ ବାରମ୍ବାର ନିବେଦନ କରାଯାଇଥିଲା । ସରକାର ଟୋଲ ପରମିଟ୍ ବ୍ୟବସ୍ଥା ଆରମ୍ଭ କରି ବାର୍ଷିକଭିତ୍ତିରେ ଟିକସ ଆଦାୟ କରିବାକୁ ସଂଘ ପକ୍ଷରୁ ପରାମର୍ଶ ଦିଆଯାଇଥିଲା । ଏତଦ୍ବ୍ୟତୀତ ସରକାର ଡିଜେଲ ମୂଲ୍ୟରେ ହ୍ରାସ କରିବା ସହ ଏହାକୁ ସାମଗ୍ରୀ ଏବଂ ସେବାକର (ଜିଏସ୍ଟି) ପରିସରଭୁକ୍ତ କରନ୍ତୁ ବୋଲି ଦାବି କରାଯାଇଥିଲା । ସରକାର ବୀମା ପ୍ରିମିୟମ୍ ଉପରେ ଯେଉଁ ଶତକଡ଼ା ୧୮ ଜିଏସ୍ଟି ନେଉଛନ୍ତି ତାହାକୁ ଛାଡ଼ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି । ଚକାଜାମ ଡାକରା ଯୋଗୁ ସମସ୍ତ ଟ୍ରକ ପରିବହନ କାର୍ଯ୍ୟ ବନ୍ଦ ହେବ ବୋଲି ଶ୍ରୀ ଶତପଥୀ ପ୍ରକାଶ କରିଛନ୍ତି ।