ଜାନୁୟାରୀ ୮ରେ ଏଆଇଡିଏସଓ ପକ୍ଷରୁ ସର୍ବଭାରତୀୟ ବନ୍ଦ ଡାକରା

ଭୁବନେଶ୍ୱର: ଆସନ୍ତା ଜାନୁୟାରୀ ୮ରେ ଅଲ ଇଣ୍ଡିଆ ଡେମୋକ୍ରାଟିକ୍ ଷ୍ଟୁଡେଂଟସ୍ ଅର୍ଗାନାଇଜେସନ୍(ଏଆଇଡିଏସଓ) ପକ୍ଷରୁ ସର୍ବଭାରତୀୟ ବନ୍ଦ ଡାକରା ଦିଆଯାଇଛି । ଶିକ୍ଷାର ଘରୋଇକରଣ, ଫି’ବୃଦ୍ଧି, ଜନସ୍ୱାର୍ଥ ବିରୋଧୀ ନାଗରିକତା ସଂଶୋଧନ ଆଇନ ଓ ଏନ୍‌ଆରସି ବିରୋଧରେ ଏହି ଧର୍ମଘଟ ଡାକରା ଦିଆଯାଇଛି। ଶ୍ରେଣୀ ବର୍ଜନ କରି ଛାତ୍ରଛାତ୍ରୀମାନେ ଏହି ଧର୍ମଘଟରେ ସାମିଲ ହେବ ବୋଲି ସଂଗଠନର ରାଜ୍ୟ ପରିଷଦ ସଭାପତି ଗଣେଶ ତ୍ରିପାଠୀ କହିଛନ୍ତି।

ଗୋଦାବରୀଶ ସାହିତ୍ୟ ସଂସଦରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ତ୍ରିପାଠୀ କହିଲେ, ଏହି ଦିନ ସମସ୍ତ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନମାନେ ସର୍ବଭାରତୀୟ ଧର୍ମଘଟ ଡାକରା ଦେଇଛନ୍ତି। ଏଆଇଡିଏସ୍‌ଓ ଟ୍ରେଡ୍‌ ୟୁନିୟନ୍‌ଗୁଡ଼ିକର ଦାବିକୁ ସମର୍ଥନ ଦେଉଛି। କେନ୍ଦ୍ରର ବିଜେପି ସରକାର ଛାତ୍ରଛାତ୍ରୀମ‌ାନଙ୍କୁ ଧର୍ମ, ଜାତି ଓ ବର୍ଣ୍ଣ ଆଧାରରେ ବିଭକ୍ତ କରିବାକୁ ଚାହୁଁଛି। ନାଗରିକ ସଂଶୋଧନ ଆଇନ ବିରୋଧରେ ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟରେ ଚାଲୁଥିବା ଆନ୍ଦୋଳନ ଉପରେ ପୁଲିସର ବର୍ବରତା ସୀମା ଲଂଘିଛି। ଜେଏନ୍‌ୟୁ, ଆଇଆଇଟି ଭଳି ପ୍ରମୁଖ ବିଶ୍ବବିଦ୍ୟାଳୟରେ ମାତ୍ରାଧିକ ଫି’ବୃଦ୍ଧି ଘଟିଛି। ଦେଶ ତଥା ରାଜ୍ୟରେ ୫୦ ପ୍ରତିଶତରୁ ଅଧିକ ଶିକ୍ଷକ/ଅଧ୍ୟାପକ ପଦବି ଖାଲି ପଡ଼ିଛି। ତେଣୁ ଏସବୁ ଦାବି ନେଇ ଏଆଇଡିଏସ୍‌ଓ ରାଜ୍ୟ ଶାଖା ପକ୍ଷରୁ ଧର୍ମଘଟ କରାଯିବ। ଏହାକୁ ସଫଳ କରିବା ପାଇଁ ବୁଦ୍ଧିଜୀବୀ, ଅଭିଭାବକ ଓ ଛାତ୍ର ସମାଜକୁ ସଂଗଠନ ପକ୍ଷରୁ ଆହ୍ୱାନ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ସଂଗଠନର ସଂପାଦକ ସୁବାସ ନାୟକ ଓ ଅନ୍ୟମାନେ ଉପସ୍ଥିତ ଥିଲେ।