ନୂଆଦିଲ୍ଲୀ: ଯେସାକୁ ତେସା ନୀତି ଆପଣାଇବାକୁ ଯାଉଛି ଭାରତ। ପାକିସ୍ତାନ ସରକାର ନିଜ ଦେଶରେ ଭାରତୀୟ ଫିଲ୍ମର ରିଲିଜ୍ ଉପରେ ପ୍ରତିବନ୍ଧକ ଲଗାଇଥିବାରୁ ଏହାକୁ ନେଇ ସର୍ବଭାରତୀୟ ସିନେ ୱାର୍କର୍ସ ଆସୋସିଏସନ୍ କ୍ଷୁବ୍ଧ ହୋଇଛି। ପାକିସ୍ତାନର କଳାକାରମାନଙ୍କୁ ଭାରତରେ ବ୍ୟାନ୍ କରିବା ପାଇଁ ଆଜି ଆସୋସିଏସନ୍ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖାଯାଇଛି। ଭାରତ ସରକାର ମଧ୍ୟ ଏହା ଉପରେ ବିଚାର କରୁଥିବା ଜଣାପଡ଼ିଛି। ସିନେ ଆସୋସିଏସ୍ ପକ୍ଷରୁ ମୋଦି ସରକାର ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ନେଇଥିବା ନିଷ୍ପତ୍ତିକୁ ସମର୍ଥନ ମଧ୍ୟ କରାଯାଇଛି।
ପୁଲୱାମା ହମ୍ଲା ପରେ ବଲିଉଡର ଅନେକ ସଙ୍ଘ ଓ ବ୍ୟକ୍ତି ପାକିସ୍ତାନ କଳାକାରଙ୍କ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଦାବି କରିଥିଲେ। ହେଲେ ଏପର୍ଯ୍ୟନ୍ତ ପାକିସ୍ତାନ କଳାକାରମାନେ ଭାରତୀୟ ଫିଲ୍ମରେ ଅଭିନୟ କରୁଛନ୍ତି ଓ ଗୀତ ଗାଉଛନ୍ତି। ହେଲେ ସିନେ ୱାର୍କର୍ସ ଆସୋସିଏସନ୍ ଏଥିରେ ଖୁସି ନଥିବାରୁ ମୋଦିଙ୍କୁ ଚିଠି ଲେଖିଛି।ଖାଲି ସେତିକି ନୁହେଁ, ପାକିସ୍ତାନ ସହ ସମସ୍ତ ପ୍ରକାରର ଦ୍ୱିପାକ୍ଷିକ ଓ କୂଟନୀତିକ ସମ୍ପର୍କ ଛିନ୍ନ କରିବାକୁ ଏହି ଚିଠି ଦାବି କରାଯାଇଛି।