ମାର୍ଚ୍ଚରେ ୮ଦିନ ବ୍ୟାଙ୍କ ରହିବ ବନ୍ଦ

ଭୁବନେଶ୍ୱର: ମାର୍ଚ୍ଚ ମାସରେ ୮ଦିନ ବ୍ୟାଙ୍କ ବନ୍ଦ ରହିବ । ପୂର୍ବରୁ ୩ଦିନିଆ ବ୍ୟାଙ୍କ ଧର୍ମଘଟ କରିବା ନେଇ ବ୍ୟାଙ୍କ କର୍ମଚାରୀ ଘୋଷଣା କରିଥିବାରୁ ଛୁଟି ସଂଖ୍ୟା ୧୧କୁ ବୃଦ୍ଧି ପାଇବାର ଆଶା କରାଯାଉଛି । ଏବେ ହେବାକୁ ଥିବା ବ୍ୟାଙ୍କ ଧର୍ମଘଟ ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଂଚାଇ ଦିଆଯାଇଛି । ୟୁନାଇଟେଡ୍ ଫୋରମ୍ ଫର୍ ବ୍ୟାଙ୍କ ୟୁନିୟନ୍ସର ଆବାହକ ସମ୍ବିତ ମିଶ୍ର ଆଜି ଏହି ସୂଚନା ଦେଇଛନ୍ତି। ଇଣ୍ଡିଆନ ବ୍ୟାଙ୍କ ଆସୋସିଏସନ୍ ସହ କଥାବାର୍ତା ଚାଲିଛି ବୋଲି ୟୁନାଇଟେଡ୍ ଫୋରମ୍ ଫର୍ ବ୍ୟାଙ୍କ ୟୁନିୟନ୍ସ ପକ୍ଷରୁ କୁହାଯାଇଛି।

ସୂଚନା ମୁତାବକ, ମାର୍ଚ୍ଚମାସରେ ବ୍ୟାଙ୍କ କର୍ମଚାରୀ ବେତନ ବଢ଼ାଇବା ଓ ୫ ଦିନିଆ କାର୍ଯ୍ୟ ଦିବସ ଭଳି ଦାବି ନେଇ ୩ଦିନିଆ ଦେଶବ୍ୟାପୀ ଧର୍ମଘଟ ଘୋଷଣା କରିଥିବାରୁ ଛୁଟି ସଂଖ୍ୟା ୧୧କୁ ବୃଦ୍ଧି ପାଇବାର ସମ୍ଭାବନା ରହିଥିଲା। ବେତନ ବୃଦ୍ଧିକୁ ନେଇ ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ) ବିଭିନ୍ନ କର୍ମଚାରୀ ସଂଘ ମଧ୍ୟରେ ହୋଇଥିବା ବୈଠକ ବିଫଳ ହେବାରୁ ମାର୍ଚ୍ଚ ୧୧ରୁ ଧର୍ମଘଟ କରିବାକୁ ନିଷ୍ପତି ନେଇଥିଲେ। କର୍ମଚାରୀମାନଙ୍କ ବେତନରେ ୧୨.୫% ବୃଦ୍ଧି କରିବା ଲାଗି ଆଇବିଏ ପ୍ରସ୍ତାବ ଦେଇଥିବା ବେଳେ କର୍ମଚାରୀ ସଂଘଗୁଡ଼ିକ ତାହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ସେମାନେ ବେତନରେ ଅଧିକ ବୃଦ୍ଧି ଚାହୁଥିଲେ।