ରଣବୀରଙ୍କ କଥା ପଡିଲେ ଲାଜକରୁଛନ୍ତି ଆଲିଆ ,ଜାଣନ୍ତୁ କାହିଁକି

ମୁମ୍ବାଇ: ‘ବ୍ରହ୍ମାସ୍ତ୍ର’ର ସହ-ଅଭିନେତା ରଣବୀର କପୁରଙ୍କ କଥା ପଡ଼ିଲେ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଆଜିକାଲି ଖୁବ୍‌ ଲାଜ ଲାଗୁଛି। ଗୁରୁବାର ଏଠାରେ ନିକେଲୋଡିଓନ୍‌ କିଡ୍ସ ଚଏସ୍‌ ଆଓ୍ବାର୍ଡସ-୨୦୧୮ ଅବସରରେ ଖବରଦାତାଙ୍କ ସହ ଆଲୋଚନା ବେଳେ ଆଲିଆ ଏହା ପ୍ରକାଶ କରିଛନ୍ତି। ନିକଟରେ ଏକ ସାକ୍ଷାତ୍‌କାରରେ ଆଲିଆଙ୍କ ପିତା ତଥା ଫିଲ୍ମ ନିର୍ମାତା ମହେଶ ଭଟ୍ଟ କହିଥିଲେ, ରଣବୀରଙ୍କ ସହିତ ତାଙ୍କ ଝିଅର ସମ୍ପର୍କ ନେଇ ସେ ଖୁବ୍‌ ଖୁସି। ତେବେ ରଣବୀରଙ୍କ ସହ ସମ୍ପର୍କକୁ ତାଙ୍କ ପିତା କେତେଦୂର ଗ୍ରହଣ କରୁଛନ୍ତି ପ୍ରଶ୍ନରେ ଆଲିଆ କହିଥିଲେ, ଭବିଷ୍ୟତ କଥା ଚିନ୍ତା କରନ୍ତୁ ନାହିଁ। ବର୍ତ୍ତମାନ ମୁହୂର୍ତ୍ତରେ ଯାହା ଘଟୁଛି ସେଇଥିରେ ହିଁ ସନ୍ତୁଷ୍ଟ ରୁହନ୍ତୁ। ଏ ପ୍ରସଙ୍ଗରେ ମୋ ପିତାଙ୍କ ନିଷ୍ପତ୍ତି ଉପରେ ସବୁକିଛି ନିର୍ଭର କରେ। ବର୍ତ୍ତମାନ ଏ ବିଷୟରେ ଅଧିକ କିଛି କହିବା ଠିକ୍‌ ହେବନାହିଁ।

ଆଲିଆଙ୍କ ଆଗରେ ଫିଲ୍ମର ଲମ୍ବା ଲାଇନ୍‌। ତାଙ୍କ ଅଭିନୀତ ଫିଲ୍ମ ‘କଳଙ୍କ’ ଆସନ୍ତାବର୍ଷ ଏପ୍ରିଲ ୧୮ରେ ରିଲିଜ ହେବାକୁ ଯାଉଛି। ଏଥିସହିତ ‘ଗୁଲି ବଏ’ ଫେବୃୟାରୀ ୧୪ରେ ରିଲିଜ ହେଉଥିବା ବେଳେ ଏହି ଫିଲ୍ମକୁ ବର୍ଲିନ ଫିଲ୍ମ ଫେଷ୍ଟିଭାଲ୍‌ ପାଇଁ ଚୟନ କରାଯାଇଛି। ‘ବ୍ରହ୍ମାସ୍ତ୍ର’ ଆସନ୍ତାବର୍ଷ ଖ୍ରୀଷ୍ଟମାସରେ ରିଲିଜ ହେବାର ଅଛି। ଆଲିଆ ୧୯ବର୍ଷ ବୟସରେ ପ୍ରଥମ କରି ଫିଲ୍ମ ଦୁନିଆରେ ପାଦଦେଇ ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର’ରେ ଅଭିନୟ ଆରମ୍ଭ କରିଥିଲେ।