ସାନିଟାଇଜର ଉପରେ ଲାଗିବ ୧୮% ଜିଏସ୍‌ଟି

ନୂଆଦିଲ୍ଲୀ: କରୋନା ମହାମାରୀ ମଧ୍ୟରେ ମାସ୍କ ଓ ସାନିଟାଇଜରର ଚାହିଦା ବଢ଼ିବାରେ ଲାଗିଛି। ପୂର୍ବରୁ ଏହାକୁ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍‌ ଦେଇଥିବା ଭାରତ ସରକାର ଏବେ ସାନିଟାଇଜର ଉପରେ ଜିଏସଟି ଲାଗୁ କରିବାକୁ ଯୋଜନା କରୁଛନ୍ତି।

ସାନିଟାଇଜର ଆଲକୋହଲ ବେସ୍‌ଡ ହୋଇଥିବାରୁ ଏହା ଉପରେ ୧୮% ଜିଏସ୍‌ଟି ଲାଗୁ କରିବାକୁ ଚିନ୍ତା କରାଯାଉଛି। ଅଥୋରିଟି ଫର ଆଡଭାନ୍ସ ରୁଲିଂ(ଏଏଆର) ପକ୍ଷରୁ କୁହାଯାଇଛି ଯେ ଆଲକୋହଲ ଯୁକ୍ତ ସାନିଟାଇଜର ଉପରେ ୧୮% ଜିଏସ୍‌ଟି ଲାଗୁ କରାଯାଇ ପାରେ। କାରଣ ଏଥିରେ ଆଲକୋହଲ ଥିବାରୁ ଏଭଳି ବ୍ୟବସ୍ଥା କରାଯିବ।

Springfield India Distilleries ନାମକୁ ଗୋଟିଏ କମ୍ପାନୀ ଗୋଆରେ ଥିବା ଏଏଆର ବେଞ୍ଚର ଦ୍ୱାରସ୍ଥ ହୋଇଥିଲା। କମ୍ପାନୀ ପକ୍ଷରୁ କୁହାଯାଇଥିଲା ଯେ କ’ଣ ହ୍ୟାଣ୍ଡ ସାନିଟାଇଜର ଜିଏସ୍‌ଟି ବାହାରେ ରହିଛି କି? ତେବେ ଏହାର ଜବାବରେ ଏଏଆର ପକ୍ଷରୁ କୁହାଯାଇଛି ଯେ ସାନିଟାଇଜର ହେଉଛି ଆଲକୋହଲ ଯୁକ୍ତ।

ଏହାକୁ ଏଚଏସଏନ ୩୮୦୮ ଅନୁଯାୟୀ ବିଭକ୍ତୀକରଣ କରାଯାଇଛି। ତେଣୁ ଏହା ଉପରେ ୧୮% ଜିଏସଟି ଲାଗୁ ହୋଇପାରିବ। କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରଣାଳୟ ସାନିଟାଇଜରକୁ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟରେ ରଖିଥିଲେ ହେଁ ଏହା ଉପରେ ଜିଏସଟି ଲାଗିବ କି ନାହିଁ, ତା’ର ନିଷ୍ପତ୍ତି ପାଇଁ ଜିଏସଟି କମିଟି ନେବ। ଜିଏସଟି ତାଲିକାର କ’ଣ ବାଦ ପଡ଼ିବ, ତା’ର ନିଷ୍ପତ୍ତି  କେବେଳ କମିଟି ହିଁ ନେଇପାରିବ।