ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ରାହୁଲ, ସୋନିଆ, ମୋଦୀଙ୍କ ସମେତ ବହୁ ନେତା ଦେଲେ ଶ୍ରଦ୍ଧାଞ୍ଜଳୀ

ନୂଆଦିଲ୍ଲୀ :ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୭୫ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ରାଜୀବ ଗାନ୍ଧୀଙ୍କ ସମାଧିସ୍ଥଳ ବୀର ଭୂମି ଉପରେ ତାଙ୍କ ପୁଅ ରାହୁଲ ଗାନ୍ଧୀ, ଝିଅ ପ୍ରିୟଙ୍କା ଗାନ୍ଧୀ, ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ, ଅହମଦ ପଟେଲ, ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ମଧ୍ୟ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ୨୦ଅଗଷ୍ଟ ୧୯୪୪ରେ ଜନ୍ମିତ ରାଜୀବ ଗାନ୍ଧୀ ଦେଶର ସବୁଠାରୁ କମ୍ ବୟସରେ ପ୍ରଧାନମନ୍ତ୍ରୀ ହୋଇଥିଲେ । 

ରାଜନୀତିରେ ଆସିବା ପୂର୍ବରୁ ରାଜୀବ ଗାନ୍ଧୀ ଏୟାର ଇଣ୍ଡିଆରେ ପାଇଲଟ ଭାବରେ କାମ କରୁଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ତାଙ୍କ ନେତୃତ୍ୱରେ କଂଗ୍ରେସ ୪୦୧ ଆସନରେ ବିଜୟୀ ହୋଇଥିଲେ । 

ସୂଚନା ମୁତାବକ, କଂଗ୍ରେସ ୨୨ ଅଗଷ୍ଟରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିଅମରେ ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ କରିବାକୁ ଯାଉଛି ଯେଉଁଥିରେ ପାର୍ଟିର ରାଷ୍ଟ୍ରୀୟ, ପ୍ରଦେଶିକ, ଜିଲ୍ଲା ସ୍ତରୀୟ ପଦାଧିକାରୀମାନେ ଭାଗ ନେବେ ।