ଇସ୍ତଫା ଦେଲେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ଵାର

ମୁମ୍ବାଇ : ମହାରାଷ୍ଟ୍ର ରାଜନୀତିରେ ଆଉ ଏକ ନାଟକୀୟ ମୋଡ । ଆସନ୍ତା କାଲି ଅପରାହ୍ଣ ୫ଟା ସୁଦ୍ଧା ଆସ୍ଥା ଭୋଟ ହେବ ବୋଲି ସୁପ୍ରିମକୋର୍ଟ ସମୟ ଧାର୍ଯ୍ୟ କରିବା ପରେ ଆଜି ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ଵାର ଇସ୍ତଫା ଦେଇଛନ୍ତି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସଙ୍କୁ ସେ ନିଜର ଇସ୍ତଫା ପ୍ରଦାନ କରିଛନ୍ତି ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଫଡନବୀସ ଆଜି ଅପରାହ୍ଣ ସାଢେ ୩ଟା ବେଳେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିନ କରିବେ । ଅଜିତ ପାଓ୍ଵାରଙ୍କ ଇସ୍ତଫା ପରେ ମହାରାଷ୍ଟ୍ରରେ ଗତ ଶନିବାରଦିନ ଶପଥ ଗ୍ରହଣ କରିଥିବା ବିଜେପି ଓ ବିଦ୍ରୋହୀ ଏନସିପି ମେଣ୍ଟ ପ୍ରତି ବିପଦ ଘନେଇ ଆସିଛି ।

ଗତ ଶନିବାରଦିନ ଅଜିତ ପାଓ୍ଵାର ବିଜେପି ସହ ହାତ ମିଳାଇବା ପରେ ଏନସିପି ତରଫରୁ ତାଙ୍କୁ ବିଧାୟକ ଦଳ ନେତା ପଦରୁ ହଟାଇଦିଆଯାଇଥିଲା । ଏହା ସହିତ ଅଜିତଙ୍କ ସହିତ ଥିବା ବିଦ୍ରୋହୀ ବିଧାୟକମାନେ ପୁଣି ଏନସିପିକୁ ଫେରିଯିବା ପରେ ଅଜିତଙ୍କ ରାଜନୈତିକ ଭବିଷ୍ୟତ ପ୍ରତି ବିପଦ ସୃଷ୍ଟି ହୋଇଛି ।