ଗଲଓ୍ୱାନ ଘାଟି ବିବାଦ ଉପରେ ଫିଲ୍ମ କରିବେ ଅଜୟ ଦେବଗନ

ମୁମ୍ବାଇ : ଏଲଏସିରେ ୨୦ ଭାରତୀୟ ବୀର ଯବାନଙ୍କ ବଳିଦାନର କାହାଣୀ ଫିଲ୍ମ ଜରିଆରେ କହିବେ ଅଜୟ ଦେବଗନ । ଦର୍ଶକ ବଡ଼ ପରଦାରେ ଦେଖିବେ ଜୁନ୍ ୧୫ ତାରିଖ ରାତିରେ ଚୀନ ସେନାର ସହ ଭାରତୀୟ ଯବାନଙ୍କ ରକ୍ତାକ୍ତ ସଂଘର୍ଷର କାହାଣୀ । ଗଲଓ୍ୱାନ ଘାଟି ବିବାଦ ଓ ସଂଘର୍ଷ ଉପରେ ଫିଲ୍ମ ନିର୍ମାଣ କରିବେ ବଲିଉଡ ଅଭିନେତା ତଥା ପ୍ରଯୋଜକ ଅଜୟ ଦେବଗନ । ଏନେଇ ସିନେ ସମୀକ୍ଷକ ତରୁଣ ଆଦର୍ଶ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।


ସୀମା ବିବାଦ ଓ ବୀର ଯବାନଙ୍କ ବଳିଦାନ ଉପରେ ଆଧାରିତ ହେବାକୁ ଥିବା ଏହି ଫିଲ୍ମର ନାମକରଣ ହୋଇନି । କେଉଁମାନେ ଅଭିନୟ କରିବେ ସେନେଇ ବି କିଛି ନିଷ୍ପତ୍ତି ହୋଇନି । ସେହିପରି ଫିଲ୍ମରେ ଲିଡ ରୋଲରେ ଅଜୟ ଦେବଗନ ନଜର ଆସିବେ କି ନାହିଁ ତାହା ବି ସ୍ପଷ୍ଟ ହୋଇନି । ଅଜୟ ଦେବଗନଙ୍କ ଏଫ୍ ଫିଲ୍ମ ଏଣ୍ଡ ସିଲେକ୍ଟ ମିଡିଆ ହୋଲଡିଂସ ଏଲଏଲପି ପ୍ରଡକ୍ସନ ହାଉସ ବ୍ୟାନରରେ ଫିଲ୍ମ ନିର୍ମାଣ କରାଯିବ ।

ପୂର୍ବରୁ ଦେଶଭକ୍ତି ଉପରେ ଆଧାରିତ ଫିଲ୍ମ ଏଲଓସି କାର୍ଗିଲ, ତାଣାଜି, ଦି ଲିଜାଣ୍ଡ ଅଫ ଭଗତ ସିଂ ଆଦି ଫିଲ୍ମରେ ଅଭିନୟ କରିଛନ୍ତି । ସେହିପରି ଅନ୍ୟାୟ ବିରୋଧୀ ଲଢ଼େଇର ବାର୍ତ୍ତା ଦେଉଥିବା ଫିଲ୍ମରେ ବି ଦେଖିବାକୁ ମିଳିଛି ଅଜୟ ଦେବଗନଙ୍କ ଅଭିନୟର ଯାଦୁ ।