ବିନୋଦିନୀ ଦାସୀ ଭୂମିକାରେ ଐଶ୍

ମୁମ୍ବାଇ: ବହୁଦିନ ପରେ ବଲିଉଡର ନୀଳନିୟନୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଖୁବ୍ ଶୀଘ୍ର କମବ୍ୟାକ୍ କରୁଥିବା ଜଣାପଡିଛି । ତେବେ ସେ “ପୋନିଇନ୍ ସେଲଭନ୍‌” ଫିଲ୍ମରେ ଦେଖାଦେବେ । ଫିଲ୍ମ ନିର୍ଦ୍ଦେଶକ ମଣିରତ୍ନମ୍ ଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମର ଫାଷ୍ଟ ଲୁକ୍ ସାମ୍ନାକୁ ଆସିସାରିଛି । ଯାହାକୁ ନେଇ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଛି । ତେବେ ଏହି ଚର୍ଚ୍ଚା ଶେଷ ନ ହେଉଣୁ ଐଶ୍ ଙ୍କ ପାଇଁ ରହିଛି ଆଉ ଏକ ଗୁଡ୍ ନ୍ୟୁଜ୍ ।

କଥାଟା ହେଉଛି, ଐଶ୍ ଙ୍କୁ ଖୁବ୍ ଶୀଘ୍ର ପ୍ରଦୀପ ସରକାରଙ୍କ ଆଗାମୀ ଫିଲ୍ମରେ ଦେଖିବାକୁ ମିଳିବ । ଏକ ଖବର ଅନୁଯାୟୀ, ପ୍ରଦୀପ ସରକାର ଏବଂ ଐଶ୍ ଏକାଠି କାମ କରିବାକୁ ବେଶ୍ ଉତ୍ସାହିତ ଅଛନ୍ତି । ତେବେ ପ୍ରଦୀପ ସରକାରଙ୍କ ନିର୍ଦ୍ଦେଶିତ ଆଗାମୀ ଫିଲ୍ମରେ ସେ ଐଶ୍ ଙ୍କୁ ଲିଡ ରୋଲରେ ନେବା ପାଇଁ ମନସ୍ଥିର କରିଛନ୍ତି । ବେଶ୍ୟାରୁ ଅଭିନେତ୍ରୀ ହୋଇଥିବା ବିନୋଦିନୀ ଦାସୀଙ୍କ ଜୀବନ କାହାଣୀ ଉପରେ ସେ ଏକ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି । ଯେଉଁଥିରେ ଐଶ୍ ବିନୋଦିନୀଙ୍କ ଲୁକ୍ ରେ ନଜର ଆସିବେ । ତେବେ ପ୍ରଦୀପ ପୂର୍ବରୁ ଏହି ଫିଲ୍ମ ପାଇଁ ବିଦ୍ୟା ବାଲାନଙ୍କୁ ବାଛିଥିଲେ ।

ମାତ୍ର କୌଣସି କାରଣରୁ ସେ ମନା କରିବାରୁ ଏବେ ପ୍ରଦୀପ ନିଜ ଫିଲ୍ମ ପାଇଁ ଐଶ୍ ଙ୍କୁ ଚୟନ କରିଛନ୍ତି । ଏହାକୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନ ଥିଲେ ବି ଏହି ଖବର ଏବେ ଚର୍ଚ୍ଚା ଧରିଛି । ତେବେ ଯଦି ସବୁ ଠିକ୍ ଠାକ୍ ରହେ ଐଶ୍ ଙ୍କୁ ବିନୋଦିନୀ ଲୁକ୍ ରେ ଦର୍ଶକ ଦେଖିବାକୁ ପାଇବେ ।