ହାତୀ ଉପଦ୍ରବରୁ ମୁକ୍ତି ଦେବ ‘ଐରାବତ’

କାମାକ୍ଷାନଗର: ଏଣିକି ହାତୀ ଉପଦ୍ରବରୁ ମିଳିବ ରକ୍ଷା । ହାତୀ ଉପଦ୍ରବ ରୋକିବା ପାଇଁ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍‌ ବନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଐରାବତ ବସ୍ ଯୋଜନା ।

ଏହି ବସ୍‌ ମାଧ୍ୟମରେ ବନ କର୍ମଚାରୀ ଓ ଏଲିଫ୍ୟାଣ୍ଟ ସ୍କ୍ୱାଡ୍ ଏକାଠି ମିଶି ହାତୀଙ୍କ ଉପରେ ରଖିବେ କଡ଼ା ନଜର। ଏଥିସହ ହାତୀଙ୍କୁ ସୁରକ୍ଷା ମଧ୍ୟ ପ୍ରଦାନ କରିବେ ।

୨୧ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ଅତ୍ୟାଧୁନିକ ବସ୍‌ରେ ରହିଛି ଅନେକ ସୁବିଧା । ବସ୍‌ରେ ଚାର୍ଜିଙ୍ଗ ସିଷ୍ଟମଠାରୁ ଆରମ୍ଭ କରି ହାତୀ ଘଉଡାଇବା ପାଇଁ ସମସ୍ତ ଉପକରଣ ରହିଛି । ଫଳରେ ବନ କର୍ମଚାରୀ କୌଣସି ବି ସ୍ଥାନକୁ ଅନାୟସରେ ଯାଇ ହାତୀଙ୍କ ଗତିପଥକୁ ଲକ୍ଷ୍ୟ କରିବା ସହ ହାତୀ ଉପଦ୍ରବ ହେଉଥିବା ଅଞ୍ଚଳବାସୀଙ୍କୁ ସୁରକ୍ଷା ଦେଇପାରିବେ ।

ମହାବିରୋଡ଼ ବନଖଣ୍ଡ ଓ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜରେ ଦୀର୍ଘ ଦିନ ଧରି ହାତୀ ଉପଦ୍ରବ ଲାଗି ରହିଥିବାରୁ ଏହାର ସମାଧାନ ପାଇଁ ବନ ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ବନ ବିଭାଗର ଏଭଳି ପଦକ୍ଷେପକୁ ଅଞ୍ଚଳବାସୀ ସ୍ୱାଗତ କରିଛନ୍ତି।