ସ୍ଥିରୀକୃତ ହୋଇନାହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦେଶବାସୀଙ୍କୁ ଉଦବୋଧନ ସମୟ

ନୂଆଦିଲ୍ଲୀ: ଆକାଶବାଣୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ନ ୪ଟାରେ ଦେଶବାସୀଙ୍କୁ ଉଦବୋଧନ ଦେବେ ବୋଲି ପ୍ରଥମେ ଜଣାଯାଇଥିଲା। ଏନେଇ ଆକାଶବାଣୀ ପକ୍ଷରୁ ଟୁଇଟ୍ କରାଯାଇଥିଲା । କିନ୍ତୁ କିଛି ସମୟପରେ ଏହି ଟୁଇଟକୁ ଡିଲିଟ କରି ଦେଇଛି ଆକାଶବାଣୀ।

ମିଳୁଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ସମ୍ବୋଧନରେ ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଠାଇବା ସହ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଶେଷ କରିବା ଓ ୨ଟି କେନ୍ଦ୍ର ଶାସିତ ଅଂଚଳରେ ଭାଗ କରିବା ନେଇ କିଛି କହିପାରନ୍ତି ।
ସୂଚନାଯୋଗ୍ୟ ନରେନ୍ଦ୍ର ମୋଦୀ ସରକାରଙ୍କ ଜମ୍ମୁ- କଶ୍ମୀର ପୁନର୍ଗଠନ ଓ ଧାରା ୩୭୦କୁ ଉଚ୍ଛେଦ କରିବା ବିଲ୍ ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ବହୁମତ ସହିତ ଗୃହୀତ କରାଯାଇଛି ।

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଉଭୟ ରାଜ୍ୟସଭା ଓ ଲୋକସଭା ଗୃହୀତ କରିବା ପରେ ଗତ ମଙ୍ଗଳବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଂଜୁରି ଦେଇଛନ୍ତି । ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିବା ପରେ ଏବେ ଏହା ଆଇନରେ ପରିଣତ ହୋଇଛି ।