କୋଝିକୋଡ ଏୟାରପୋର୍ଟରେ ଏୟାର ଇଣ୍ଡିଆ ବିମାନ କ୍ରାସ୍ ଲ୍ୟାଣ୍ଡିଂ; ପାଇଲଟ୍‌ଙ୍କ ମୃତ୍ୟୁ, ଅନେକ ଯାତ୍ରୀ ଆହତ

ନୂଆଦିଲ୍ଲୀ: ୧୯୧ ଜଣ ଯାତ୍ରୀଙ୍କୁ ନେଇ ଦୁବାଇରୁ ଆସିଥିବା ଏୟାର୍ ଇଣ୍ଡିଆ ଏକ୍ସପ୍ରେସ୍ ବିମାନ ଶୁକ୍ରବାର ସନ୍ଧ୍ୟାରେ କେରଳର କୋଝିକୋଡ଼ ଠାରେ କ୍ରାସ୍‌ ଲ୍ୟାଣ୍ଡିଙ୍ଗ୍ କରିବାରୁ ପାଇଲଟ୍‌ଙ୍କର ମୃତ୍ୟୁ ଘଟିବା ସହ ଯାତ୍ରୀମାନେ ଆହତ ହୋଇଛନ୍ତି। ସନ୍ଧ୍ୟା ପ୍ରାୟ ୭:୪୦ ସମୟରେ ପ୍ରବଳ ବୃଷ୍ଟିପାତ ମଧ୍ୟରେ କାରିପୁର ବିମାନ ବନ୍ଦରରେ ଦୁର୍ଘଟଣା ଘଟିଥିବା କୁହାଯାଉଛି। ବିମାନଟିର ସମ୍ମୁଖ ଭାଗ ଦୁଇ ଖଣ୍ଡ ହୋଇଯାଇଛି।

ବିମାନ ରନ୍‌ୱେରୁ ଖସି ଯାଇଥିବା ଖବର ସୁନିଶ୍ଚିତ କରି ପୂର୍ବତନ କେନ୍ଦ୍ରମନ୍ତ୍ରୀ କେଜେ ଆଲ୍‌ଫୋନ୍ସ ଟୁଇଟ୍ କରିଛନ୍ତି। ସେ ଲେଖିଛନ୍ତି, କେରଳରେ ଦ୍ବିତୀୟ ଦୁଃଖଦ ଘଟଣା: କୋଝିକୋଡ଼ରେ ଏୟାର୍‌ ଇଣ୍ଡିଆ ଏକ୍ସପ୍ରେସ୍ ରନ୍‌ୱେରୁ ଖସି ଯାଇ, ସମ୍ମୁଖ ଭାଗ ଦୁଇଗଡ଼ ହୋଇଯାଇଛି। ପାଇଲଟ୍‌ ମରିଛନ୍ତି ଓ ଅନେକ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଯାତ୍ରୀଙ୍କୁ ସ୍ଥାନାନ୍ତର କରାଯାଇଛି। ଯୋଗକୁ ବିମାନରେ ନିଆଁ ଲାଗିନାହିଁ।