ଫେବୃୟାରୀ ୬ରେ ପୁଣି ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ବର : ଫେବୃୟାରୀ ୬ରେ ପୁଣି ଆସିବେ ରାହୁଲ ଗାନ୍ଧୀ। ଭବାନୀପାଟଣା ଏବଂ ରାଉରକେଲା ସମାବେଶରେ ଯୋଗ ଦେବେ। ପଶ୍ଚିମ  ଓ ଉତ୍ତର ଓଡ଼ିଶା ଗସ୍ତରେ ଆସି ୨ଟି ଜନସଭାକୁ ସମ୍ବୋଧିତ କରିବେ ବୋଲି ସୂଚନା ମିଳିଛି। କଳାହାଣ୍ଡିର ଭବାନୀପାଟଣାରେ ଦିନ ୧୧ଟା ଓ ରାଉରକେଲାରେ ଦିନ ୨ଟାରେ ଜନସଭାକୁ ସମ୍ବୋଧିତ କରିବେ। ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି।

ଗତ ୨୮ତାରିଖରେ ରାହୁଲ ଓଡ଼ିଶା ଆସିଥିଲେ । ଭୁବନେଶ୍ବର ଉପକଣ୍ଠରେ ଥିବା ତମାଣ୍ଡୋଠାରେ ଏକ ବିରାଟ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ। ଏହି ସଭାରେ ରାହୁଲ ଉଭୟ ବିଜେପି ଓ ବିଜେଡ଼ିକୁ ସିଧାସଳଖ ଟାର୍ଗେଟ୍ କରିଥିଲେ। ବିଶେଷକରି ନବୀନଙ୍କ ରିମୋଟ କଣ୍ଟ୍ରୋଲ୍ ମୋଦିଙ୍କ ପାଖରେ ଅଛି ବୋଲି ରାହୁଲ ଦେଇଥିବା ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିଲା।

ଗରିବଙ୍କୁ ସର୍ବନିମ୍ନ କର୍ମସଂସ୍ଥାନ ପ୍ରତିଶ୍ରୃତି ଦେଇ ଏବେ ବେଶ୍ ଚର୍ଚ୍ଚାରେ ଥିବା ରାହୁଲ ମୋଦିଙ୍କ ଭଳି ଓଡ଼ିଶାକୁ ମଧ୍ୟ ଫୋକସ କରିଛନ୍ତି । ଫେବୃୟାରୀ ମାସରେ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଓଡ଼ିଶା ଆସି କୋରାପୁଟଠାରେ ସାଧାରଣ ସଭା କରିବେ ବୋଲି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ସୂଚନା ଦେଇଥିଲେ।