ନିର୍ବାଚନ ମୁହାଁ କଂଗ୍ରେସ: ଗଠନ ହେଲା ୩ କମିଟି,ପ୍ରଚାର କମିଟିରେ ଭକ୍ତ ଦାସ ସଦସ୍ୟ

ନୂଆଦିଲ୍ଲୀ : କଂଗ୍ରେସ ଏବେ ନିର୍ବାଚନମୁହାଁ ହୋଇଛି । ୨୦୧୯ ଲୋକସଭା ନିର୍ବାଚନ ପାଇଁ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏଥିପାଇଁ ଦଳ ପକ୍ଷରୁ ଆଜି ୩ଟି ଗୁରୁତ୍ୱପୂର୍ଣ୍ଣ କମିଟି ଗଠନ କରାଯାଇଛି । ଏହି କମିଟିଗୁଡ଼ିକ ନିର୍ବାଚନ ବ୍ୟାପାର ସମ୍ପର୍କରେ ସମନ୍ୱୟ ରକ୍ଷା କରିବା ସହିତ ଇସ୍ତାହାର ଓ ପ୍ରଚାର ଦାୟିତ୍ୱ ବହନ କରିବ । ୧୩ ଜଣିଆ ପ୍ରଚାର କମିଟିରେ ଓଡ଼ିଶାରୁ ଭକ୍ତଚରଣ ଦାସଙ୍କୁ ନିଆଯାଇଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏକ ୯ ଜଣିଆ କୋର୍ କମିଟି ଗଠନ କରିଛନ୍ତି । ଏହି କମିଟିରେ ଦଳର ବରିଷ୍ଠ ନେତା ଏକେ ଆଣ୍ଟୋନି ଗୁଲାମନବୀ ଆଜାଦ, ପି ଚିଦାମ୍ବରମ୍, ଅଶୋକ ଗେହଲଟ୍, ମଲ୍ଲିକାର୍ଜୁନ ଖାଡ୍ଗେ, ଅହମ୍ମଦ ପଟେଲ, ଜୟରାମ ରମେଶ, ରଣଦୀପ୍ ସୂର୍ଯ୍ୟେୱାଲା ଓ କେସି ବେନୁଗୋପାଲଙ୍କୁ ସାମିଲ କରାଯାଇଛି । ଏହି କୋର୍ କମିଟି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧିଙ୍କ ନେତୃତ୍ୱରେ କାର୍ଯ୍ୟ କରିବ । ୧୯ ଜଣିଆ ଇସ୍ତାହାର କମିଟି ଗଠନ କରାଯାଇଛି । ଏହି କମିଟି ଆଗାମୀ ଲୋକସଭା ନିର୍ବାଚନ ପାଇଁ ଦଳର ଇସ୍ତାହାର ପ୍ରସ୍ତୁତ କରିବ । କମିଟିରେ ପି. ଚିଦାମ୍ବରମ୍, ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡ୍ଡା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ, ସଲ୍ମାନ୍ ଖୁର୍ସିଦ୍, ଶଶୀ ଥରୁର୍, କୁମାରୀ ସେଲ୍ଜା, ପଞ୍ଜାବ ଅର୍ଥମନ୍ତ୍ରୀ ମନପ୍ରୀତ୍ ବାଦଲ, ସୁସ୍ମିତା ଦେବ୍, ରାଜୀବ ଗୌଡା, ବିନ୍ଦୁ କ୍ରିଷ୍ଣନ୍, ରଘୁବୀର ମିନା, ମୀନାକ୍ଷୀ ନଟରାଜନ୍, ପ୍ରଫେସର ଭାଲ୍ଚାନ୍ଦ୍ ମୁଙ୍ଗେକର, ରଜନୀ ପାଟିଲ୍, ସାମ୍ ପିଟ୍ରୋଡା, ସଚ୍ଚିନ୍ ରାଓ, ତାମ୍ରଧ୍ୱଜ ସାହୁ, ମୁକୁଲ୍ ସାଙ୍ଗ୍ମା ଓ ଲଳିତେଶ ତ୍ରିପାଠୀ ସଦସ୍ୟ ଅଛନ୍ତି । ଏହାଛଡ଼ା କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ସମୟରେ ଦଳର ପ୍ରଚାର କାର୍ଯ୍ୟ ନିର୍ବାହ କରିବା ଲାଗି ଏକ ୧୩ ଜଣିଆ କମିଟି ଗଠନ କରିଛନ୍ତି । ପ୍ରଚାର କମିଟିରେ ରଣଦୀପ୍ ସୂର୍ଯ୍ୟେୱାଲା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆନନ୍ଦ ଶର୍ମା, ମନୀଷ ତିୱାରୀ, ରାଜୀବ ଶୁକ୍ଳା, ଭକ୍ତ ଚରଣ ଦାସ, ପ୍ରବୀଣ ଚକ୍ରବର୍ତ୍ତୀ, ମିଲିନ୍ଦ ଦେଓରା, କୁମାର କେଟ୍କର୍, ପବନ ଖେରା, ଜୟବୀର ସେର୍ଗିଲ୍, ଦିବ୍ୟା ସ୍ପନ୍ଦନା, ପ୍ରମୋଦ ତିୱାରୀ ଓ ବିଡି ସତୀସନ୍ ଅଛନ୍ତି । କଂଗ୍ରେସର ସାଙ୍ଗଠନିକ ଦାୟିତ୍ୱରେ ଥିବା ସାଧାରଣ ସମ୍ପାଦକ ଅଶୋକ ଗେହଲଟ୍ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଦଳ ଏବେ ନିର୍ବାଚନ ମୁହାଁ ହୋଇଛି ଏବଂ ଏଥିପାଇଁ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛି । ଏହି କମିଟିଗୁଡ଼ିକର ଆବାହକଙ୍କ ନାମ ପରେ ଘୋଷଣା କରାଯିବ ।