ଏଆଇସିସିର ବିଜ୍ଞପ୍ତି : ନିରଞ୍ଜନ ପିସିସି ସଭାପତି ରହିଲେ,ବାକି ସବୁ କମିଟି ଭାଙ୍ଗିଲା

ଭୁବନେଶ୍ୱର : ନିରଞ୍ଜନ ପଟ୍ଟନାୟକ ଓଡିଶା ପ୍ରଦେଶ କଂଗ୍ରେସର ସଭାପତି ରହିବେ । ଏ ନେଇ ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାସହ କାର‌୍ୟ୍ୟକାରୀ ସଭାପତି ଭାବେ ଚିରଞ୍ଜିବୀ ବିଶ୍ୱାଳ ଓ ପ୍ରଦୀପ ମାଝୀ ପୂର୍ବଭଳି ଦାୟିତ୍ୱ ତୁଲାଇବେ। କଂଗ୍ରେସ ଅଧ୍ୟକ୍ଷା ବିଧାନସଭା ନିର୍ବାଚନ ଓ ଲୋକ ସଭା ନିର୍ବାଚନ ପାଇଁ ପ୍ରଦେଶ କଂଗ୍ରେସ ପକ୍ଷରୁ ନିଯୁକ୍ତି ପାଇଥିବା ସମସ୍ତ ପଦାଧିକାରୀ ଓ କମିଟିକୁ ଭାଙ୍ଗି ଦେଇଛନ୍ତି ।

ପିସିସି ସଭାପତି ଭାବେ ନିରଞ୍ଜନ ପଟ୍ଟନାୟକ ଓ କାର‌୍ୟ୍ୟକାରୀ ସଭାପତି ଭାବେ ଚିରଞ୍ଜିବୀ ବିଶ୍ୱାଳ ଓ ପ୍ରଦୀପ ମାଝୀ ପୂର୍ବଭଳି ଦାୟିତ୍ୱ ତୁଲାଇବେ। ଏ ସମ୍ପର୍କରେ ସୂଚନା ଦେଇ ପିସିସି କାର‌୍ୟ୍ୟକାରୀ ସଭାପତି ଶ୍ରୀ ମାଝୀ କହିଛନ୍ତି ଯେ, ପିସିସିର ସମସ୍ତ କମିଟିକୁ ଏଆଇସିସି ଭାଙ୍ଗି ଦେଇଛନ୍ତି। କେବଳ ପିସିସି ସଭାପତି ଓ ଦୁଇଜଣ କାର‌୍ୟ୍ୟକାରୀ ସଭାପତିଙ୍କ ଛଡ଼ା ଅନ୍ୟ ସମସ୍ତ ପଦବୀକୁ ଅକାମୀ କରିଦିଆଯାଇଛି। ଏଆଇସିସିର ପରବର୍ତ୍ତୀ ନିର୍ଦ୍ଦେଶ ଆସିଲେ ଦଳୀୟ ପଦାଧିକାରୀ ଚୟନ ପ୍ରକ୍ରିୟା ଆରମ୍ଭ ହେବ।

ଗତ ୪ଦିନ ପୂର୍ବରୁ ଦିଲ୍ଲୀରେ ଏଆଇସିସି ସହ ବୈଠକବେଳେ ରାଜ୍ୟର ସାଂଗଠନିକ ସ୍ଥିତି ଉପରେ ବିଚାରବିମର୍ଶ ହୋଇଥିଲା। ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫାକୁ ଗ୍ରହଣ ନକରିବା ପାଇଁ ଅଧିକାଂଶ ନେତା ଦାବି କରିଥିଲେ। ଯାହାକୁ ଏଆଇସିସି କର୍ତ୍ତୃପକ୍ଷ ସ୍ୱୀକାର କରିଛନ୍ତି। ରାଜ୍ୟରେ କଂଗ୍ରେସ ସଂଗଠନକୁ କିଭଳି ପୁଣିଥରେ କ୍ରିୟାଶୀଳ କରିହେବ ସେ ନେଇ ବରିଷ୍ଠ ନେତାମାନେ ଏକଜୁଟ ହୋଇ ବିଚାରବିମର୍ଶ କରିବା ନିମନ୍ତେ ଏଆଇସିସି ପରାମର୍ଶ ଦେଇଛନ୍ତି। ପିସିସି ସଭାପତି ଓ ଦୁଇ କାର‌୍ୟ୍ୟକାରୀ ସଭାପତି ମିଳିତ ଭାବେ ପିସିସିର ବିଭିନ୍ନ ପଦାଧିକାରୀ ଚୟନ ପ୍ରକ୍ର୍ରିୟା ଆରମ୍ଭ କରିବା ସହ ଜିଲ୍ଲାସ୍ତରରେ ସଂଗଠନକୁ ସୁଦୃଢ଼ ଦିଗରେ ପଦକ୍ଷେପ ନେବେ।