ଏଆଇସିସି ୱାର ରୁମରେ ଘମାସାନ : ଫେବ୍ରୁୟାରି ଶେଷ ସୁଦ୍ଧା ଚୂଡାନ୍ତ ପ୍ରାର୍ଥୀ ତାଲିକା

୩ ଥର ହାରିଥିବା ପ୍ରାର୍ଥୀଙ୍କୁ ଟିକେଟ ମିଳିବନି 

 ନୂଆଦିଲ୍ଲୀ : ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏଆଇସିସି କାର୍ଯ୍ୟାଳର ୱାର ରୁମରେ ଚାଲିଛି ଘମାସାନ । ସବୁ ରାଜ୍ୟର ପିସିସି ସଭାପତି ଓ ବିଧାୟକ ଦଳ ନେତା ସହ ଆଲୋଚନା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଏହି ବୈଠକରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଯୋଗ ଦେଇଛନ୍ତି । ଏଆଇସିସି କାର୍ଯ୍ୟାଳୟର ୱାର ରୁମ୍ ରେ ରାହୁଲ ଗାନ୍ଧିଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି  । ସାଧାରଣ ନିର୍ବାଚନ ପାଇଁ କଂଗ୍ରେସର ଟିକେଟ ବଣ୍ଟନ ସହ ନିର୍ବାଚନ ପାଇଁ ରଣନୀତି ନେଇ ଆଲୋଚନା ହୋଇଛି । ସାଧାରଣ ନିର୍ବାଚନରେ ବିଜେପିକୁ କ୍ଷମତାକୁ ହଟାଇବାକୁ କଂଗ୍ରେସ କେଉଁଦଳ ସହ ଜାତୀୟ ସ୍ତରରେ ମେଣ୍ଟ କରିବ ସେ ନେଇ ମଧ୍ୟ  ତୁଙ୍ଗ ନେତାଙ୍କ ସହ କଂଗ୍ରେସ ହାଇକମାଣ୍ଡ ଆଲୋଚନା କରିଛନ୍ତି ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନିରଂଜନ କହିଛନ୍ତି, ଫେବ୍ରୁୟାରି ଶେଷ ସୁଦ୍ଧା ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାହୁଲ ଗାନ୍ଧୀ । ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁସାରେ  ୩ ଥର ହାରିଥିବା ପ୍ରାର୍ଥୀ ଆଉ ୨୦୧୯ ନିର୍ବାଚନରେ କଂଗ୍ରେସ ଟିକେଟରେ ନିର୍ବାଚନ ଳଢିପାରିବେ ନାହିଁ । ଦଳ ଅଧ୍ୟକ୍ଷ ରାହୁଲ ଗାନ୍ଧି  ରାଜ୍ୟ ପ୍ରଭାରୀମାନଙ୍କୁଏହା  ଶୁଣାଇଦେଇଛନ୍ତି। ଯେଉଁମାନେ ଲୋକଙ୍କ ଦ୍ୱାରା ବାରମ୍ବାର ପ୍ରତ୍ୟାଖାନ ହେଉଛନ୍ତି ସେମାନଙ୍କୁ ଆଉ ଟିକେଟ ନ ଦେବା ପାଇଁ ରାଜ୍ୟ ନେତୃତ୍ୱଙ୍କୁ କୁହାଯାଇଛି ।

ପ୍ରାଥମିକ ସ୍ତରରେ କଂଗ୍ରେସ କିଭଳି ଗ୍ରହଣୀୟ ହୋଇପାରିବ ସେ ଦିଗରେ କାମ କରିବାକୁ ନେତା ଓ କର୍ମୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ପ୍ରତିକ୍ରିୟା ରଖି ବିରୋଧୀ ଦଳ ମୁଖ୍ୟ ସଚେତକ ତାରାବାହିନୀ ପତି କହିଛନ୍ତି ଯେ ରାହୁଲଙ୍କ ନିଷ୍ପତିକୁ ସେ ସ୍ୱାଗତ କରୁଛନ୍ତି ।