ନିର୍ଭୟା ମାମଲା: ପରିବାର ସହ ଶେଷ ସାକ୍ଷାତ ପାଇଁ ୪ଦୋଷୀଙ୍କୁ ଚିଠି ଲେଖିଲେ ତିହାର ଜେଲ କର୍ତୃପକ୍ଷ

ନୂଆଦିଲ୍ଲୀ: ପରିବାର ସହ ଶେଷ ସାକ୍ଷାତ ପାଇଁ ନିର୍ଭୟା ମାମଲାର ୪ଦୋଷୀଙ୍କୁ ଚିଠି ଲେଖିଲେ ତିହାର ଜେଲ କର୍ତୃପକ୍ଷ । ଫାଶୀ ଲାଗି ନିର୍ଦ୍ଧାରିତ ଦିନ ମାର୍ଚ ୩ ତାରିଖ ପୂର୍ବରୁ ସେମାନେ ନିଜ ପରିବାରକୁ ଭେଟି ପାରିବେ ବୋଲି କୁହାଯାଇଛି।

ଚାରି ଦୋଷୀଙ୍କ ମଧ୍ୟରୁ ମୁକେଶ ଓ ପବନ ସେମାନଙ୍କ ପରିବାରର ଲୋକମାନଙ୍କୁ ଭେଟି ସାରିଛନ୍ତି। ଫେବ୍ରୁଆରି ୧ ତାରିଖ ଡେଥ୍ ୱାରେଂଟ ପୂର୍ବରୁ ସେ ଦୁହେଁ ସେମାନଙ୍କ ପରିବାରକୁ ଭେଟିଥିବା କଥା ଜେଲ୍‌ କର୍ତୃପକ୍ଷ ଚିଠରେ ଲେଖିଛନ୍ତି।

ଅକ୍ଷୟ ଓ ବିନୟ କେବେ ସେମାନଙ୍କ ପରିବାରକୁ ଭେଟିବାକୁ ଚାହାଁନ୍ତି ବୋଲି ତିହାର ଜେଲ୍‌ କର୍ତୃପକ୍ଷ ସେମାନଙ୍କୁ ଚିଠିରେ ପଚାରିଛନ୍ତି। ଏହି ଚିଠି କେବଳ ଦୋଷୀମାନଙ୍କୁ ହିଁ ଲେଖାଯାଇଛି ବୋଲି ଜଣାପଡ଼ିଛି।

କଏଦୀମାନେ ସାଧାରଣତଃ ଝରକା ବାଟେ ସେମାନଙ୍କ ପରିବାର ଲୋକମାନଙ୍କୁ ଭେଟନ୍ତି। କିନ୍ତୁ, ନିର୍ଭୟା ଦୋଷୀମାନଙ୍କୁ ସିଧାସଳଖ ସେମାନଙ୍କ ପରିବାର ଲୋକଙ୍କ ସହ ଭେଟ ହେବାକୁ ଅନୁମତି ଦିଆଯିବ।

ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ଫେବ୍ରୁଆରି ୧୬ ଦିନ ଦୋଷୀ ବିନୟ ଜେଲ୍‌ କାନ୍ଥରେ ମୁଣ୍ଡ ବାଡ଼େଇ ଆହତ ହୋଇଥିଲା। ତେଣୁ ତାଙ୍କ ଉପରେ ଜେଲ୍‌ କର୍ତୃପକ୍ଷ କଡ଼ା ଦୃଷ୍ଟି ରଖିଛନ୍ତି। ବିନୟଙ୍କର ଆଚାର ବ୍ୟବହାରେ ଖୁବ୍‌ ପରିବର୍ତ୍ତନ ଦେଖା ଦେଇଥିବା କଥା ଜେଲ୍‌ କର୍ମଚାରୀମାନେ କହିଛନ୍ତି।