ଭୁବନେଶ୍ୱର: କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆହାର କେନ୍ଦ୍ର ଗୁଡିକ ଏଥର ସକାଳ ୧୦ ଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଖୋଲା ରହିବା ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ଲୋକେ ଧାଡ଼ିରେ ଯାଇ ଆହାର ଗ୍ରହଣ କରିବେ। ଧାଡ଼ିରେ ଦୁଇ ଲୋକଙ୍କ ଭିତରେ ଅତିକମରେ ଦେଢ଼ ମିଟରର ଦୂରତା ରହିବା ଆବଶ୍ୟକ ବୋଲି କୁହାଯାଇଛି। ଏହି କାର୍ଯ୍ୟକୁ ତଦାରଖ କରିବା ଲାଗି ଆହାର କେନ୍ଦ୍ରଗୁଡ଼ିକରେ ପୋଲିସ କର୍ମଚାରୀ ବା ହୋମଗାର୍ଡଙ୍କୁ ମୁତୟନ କରାଯିବ ବୋଲି ଏହି ନିର୍ଦେଶନାମାରେ କୁହାଯାଇଛି।
ଲୋକେ ଆହାର କେନ୍ଦ୍ରଗୁଡ଼ିକରେ ପ୍ରବେଶ କରିବା ପୂର୍ବରୁ ହାତ ଧୋଇବା ଲାଗି ସେମାନଙ୍କ ଲାଗି ସାବୁନ୍ ବା ହ୍ୟାଣ୍ଡ ୱାସର ବ୍ୟବସ୍ଥା କରାଯିବାକୁ କୁହାଯାଇଛି। ଠିକ୍ ସେହିପରି ଲୋକଙ୍କୁ ଆହାର କେନ୍ଦ୍ର ବାହାରେ ଖାଇବାକୁ ଉତ୍ସାହିତ କରାଯିବ। ଖାଲି ସେତିକି ନୁହେଁ, ବାହାରେ ଡଷ୍ଟବିନ୍ ରଖାଯିବାକୁ ବି କୁହାଯାଇଛି। ଅପରପକ୍ଷରେ, ଲୋକଙ୍କୁ କୁପନ ଲାଗି ବାକ୍ସରେ ଟଙ୍କା ପକାଇବାକୁ କୁହାଯିବ।