ଉଦାହରଣ ସୃଷ୍ଟି କଲେ ଅରୁଣ,କର୍ମଚାରୀ ଠିଆ ହୋଇଥିବାରୁ ଚେୟାରରେ ବସିଲେନି କୃଷି ମନ୍ତ୍ରୀ

କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ଅଚାନକ କୃଷି ଭବନ ଭିଜିଟ୍

ଭୁବନେଶ୍ୱର : ଶୁକ୍ରବାର ପୂର୍ବାହ୍ଣରେ କୃଷି ଭବନଠାରେ କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ଉପସ୍ଥିତ ଅଧିକାରୀ ଓ କର୍ମଚାରୀମାନଙ୍କ ସହିତ ଏକ ନିଆରା ଢଙ୍ଗରେ ମତବିନିମୟ କରିଥିଲେ । ପାରମ୍ପରିକ ଭାବେ ଚୌକୀରେ ନ ବସି ପ୍ରଥମ ଥର ପାଇଁ ଠିଆହୋଇ ସମୀକ୍ଷା କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ସାହୁ

କହିଥିଲେ, ରାଜ୍ୟରେ କୃଷିର ଉଲ୍ଲେଖନୀୟ ଅଗ୍ରଗତି ଘଟିଛି । ଓଡ଼ିଶା ଆଉ ପୂର୍ବର ଭୋକର ଭୂଗୋଳ ହୋଇ ରହିନାହିଁ । ବିକାଶର ଭୂଖଣ୍ଡ ପାଲଟିଛି ଏବଂ ରାଜ୍ୟ ବର୍ତ୍ତମାନ ବିକାଶ ପୂର୍ବରୁ ମହାବିକାଶର ପର୍ବକୁ ଗତିକରୁଛି । ରାଜ୍ୟରେ ଏକ ସୁଶାସନ ପ୍ରତିଷ୍ଠା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫‘ଟି’ ନିଆରା ସୂତ୍ରର ଆଧାରରେ ସମସ୍ତ କୃଷିକ୍ଷେତ୍ରରେ ଅଦ୍ଭୁତପୂର୍ବ ସଫଳତା ଆଣିବା ପାଇଁ ମନ୍ତ୍ରୀ ଡ଼ ସାହୁ ଆହ୍ୱାନ ଦେଇଥିଲେ । କୃଷି ଓ କୃଷକ ଉନ୍ନତି ନିମନ୍ତେ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ପ୍ରଦାନକରି

ଅନେକଗୁଡ଼ିଏ ଯୋଜନା ପ୍ରଣୟନ କରିଥିବାବେଳେ ଏହିସବୁ ଯୋଜନାର ସଫଳ ରୂପାୟନ ଦିଗରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଶତ ପ୍ରତିଶତ ଯୋଗଦାନ କରିବାରେ ବ୍ରତୀ ହେବା ଆବଶ୍ୟକ ବୋଲି ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ କହିଛନ୍ତି । ୫‘ଟି’ସୂତ୍ରକୁ ଆଦର୍ଶ କରି ନିଜ ବିଭାଗର କର୍ମଚାରୀମାନଙ୍କ ସହିତ ମିଶି କାର୍ଯ୍ୟକରିବା ସହିତ ଅନ୍ୟ ବିଭାଗ ସହ ସମନ୍ୱୟ ରଖିବା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । କାର୍ଯ୍ୟକ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟା ଆପଣେଇବା ଦ୍ୱାରା ଅନେକ କାର୍ଯ୍ୟ ସହଜ ଓ ଶୀଘ୍ର ହୋଇପାରୁଛି । କୃଷକମାନଙ୍କର ପରିଶ୍ରମ, ନିଷ୍ଠା ଓ ତ୍ୟାଗକୁ ହୃଦୟଙ୍ଗମ କରିବା ସହିତ ନିଜ ସ୍ୱାର୍ଥକୁ ଅଗ୍ରାଧିକାର ଦେବା ପରିବର୍ତ୍ତେ କୃଷି ଓ କୃଷକମାନଙ୍କ ନିମନ୍ତେ ପ୍ରଣୟନ କରାଯାଇଥିବା ଯୋଜନାର କାର୍ଯ୍ୟାନ୍ୱୟନରେ ସ୍ୱଚ୍ଛତା ଅବଲମ୍ବନ କରିବା ପାଇଁ ମନ୍ତ୍ରୀ ପ୍ରେରଣା ଦେଇଥିଲେ । ଏଥିସହିତ ପ୍ରତ୍ୟେକ ଯୋଜନା ଓ କାର୍ଯ୍ୟକ୍ରମକୁ ନିର୍ଦ୍ଧାରିତ ସମୟ ମଧ୍ୟରେ କରିବା ପାଇଁ ଚତୁର୍ଥ ‘ଟି’ ସମୟ ଉପରେ ଗୁରତ୍ୱ ଦେଇଥିଲେ । ଏହାଦ୍ୱାରା ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ (ଟ୍ରାନ୍ସଫରମେସନ୍) ଆସିବ ବୋଲି ମନ୍ତ୍ରୀ ଡ଼ ସାହୁ କହିଥିଲେ ।

ମନ୍ତ୍ରୀ ନୁହେଁ ଟିମ୍ ଲିଡର : ଟୋକା ଟାକଳିଆ କଥା । ତାଙ୍କୁ ପୁଣି କୃଷି ବିଭାଗ । ସମସ୍ୟା ଜଡିତ ବିଭାଗ ସେ କେମିତି ସମ୍ଭାଳିବେ । ରାଜ୍ୟର ଚାଷ ଓ ଚାଷୀଙ୍କ ଭାଗ୍ୟ ନିର୍ଣ୍ଣୟରେ କେମିତି ନିଷ୍ପତ୍ତି ନେବେ ମନ୍ତ୍ରୀ ଡକ୍ଟର ଅରୁଣ ସାହୁ । କୃଷି ମନ୍ତ୍ରୀ ଭାବେ ଦାୟୀତ୍ୱ ନେବା ପରେ ଏମିତି ଚର୍ଚ୍ଚା ଯେଉଁ ମାନେ ଚର୍ଚ୍ଚା କରୁଥିଲେ ସେମାନଙ୍କୁ କୁଆଡେ ଏବେ ମୁହଁ ତୋଡ ଜବାବ ଦେଇଛନ୍ତି ମନ୍ତ୍ରୀ ଅରୁଣ ସାହୁ । ଦିନ କେଇଟା ଭିତରେ କୃଷିମନ୍ତ୍ରୀଙ୍କ ଆଗ୍ରେସିଭ ଆକ୍ଟିଭିଟି ସବୁ ଆଲୋଚନାକୁ ଭୁଲ ପ୍ରମାଣିତ କରି ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଛି । ନିକଟରେ ମନ୍ତ୍ରୀ ଅରୁଣ ସାହୁଙ୍କ ଏକ କାର୍ଯ୍ୟକ୍ରମକୁ ନେଇ କେବଳ କୃଷି ବିଭାଗ ନୁହେଁ ସାରା ରାଜ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି । ମୁଁ ବିଭାଗର ମନ୍ତ୍ରୀ ନୁହେଁ ବରଂ ଆପଣଙ୍କ କୃଷି ବିଭାଗର ଟିମ ଲିଡର ଭାବେ କାମ କରିବା ବୋଲି କୃଷି ବିଭାଗର କରମଚାରୀଙ୍କୁ ମନ୍ତ୍ରୀ ଅରୁଣ ସାହୁଙ୍କ ଆହ୍ୱାନ ଦେବାକୁ ନେଇ ଏବେ ସବୁଠି ତାଙ୍କୁ ପ୍ରସଂସା ମିଳୁଛି । ମନ୍ତ୍ରୀଙ୍କ ଏପରି ଖାମକୁ ନେଇ ଏବେ ବିଭାଗରେ ବେଶ ପଜଟିଭ ଚର୍ଚ୍ଚା ଚାଲିଛି ।

୨୦୦୦ ମସିହାଠରୁ ଓଡ଼ିଶାରେ କୃଷି ଉତ୍ପାଦନ ବହୁଗୁଣ ବୃଦ୍ଧିପାଇଛି । ୨୦୦୧- ୦୧ରେ ଖାଦ୍ୟଶସ୍ୟ ଉତ୍ପାଦନ ୫୫ଲକ୍ଷମେଟ୍ରିକ୍ ଟନ ଥିବାବେଳେ ଏହା ସର୍ବାଧିକ ୧୧୮ ଲକ୍ଷ ମେଟ୍ରିକ୍ ଟନରେ ପହଞ୍ôଚପାରିଛି । ଓଡ଼ିଶା ୫ଥର କୃଷିକର୍ମଣ ପୁରସ୍କାର ଲାଭ କରିଛି । ସେହିପରି ପନିପରିବା, ମାଛ, ମାଂସ, ଅଣ୍ଡା ଓ ଦୁଗ୍ଧ ଉତ୍ପାଦନ ବୃଦ୍ଧିପାଇ ଓଡ଼ିଶା ସ୍ୱାବଲମ୍ବୀ ହୋଇପାରିଛ ବୋଲି ମନ୍ତ୍ରୀ କହିଥିଲେ । କୃଷି ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଏବଂ କୃଷକର ଆୟ ବୃଦ୍ଧିକରିବା ପାଇଁ ୨୦୧୯ରେ ରାଜ୍ୟ ସରକାର ଉକ୍ତ କ୍ରିୟାଶୀଳ କୃଷିନୀତି ପ୍ରଣୟନ କରିବାକୁ ଯାଉଛନ୍ତି ବୋଲି ଡ଼ ସାହୁ ପ୍ରକାଶ କରିଥିଲେ । ବିଭାଗର ପ୍ରମୁଖ ଶାସନ ସଚିବ ଡ଼ ସୌରଭ ଗର୍ଗ କହିଥିଲେ, କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ୫‘ଟି’ସୂତ୍ରକୁ କାର୍ଯ୍ୟକାରୀ କରିବା ପାଇଁ ଏକ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯାଇଛି । ଏହାଦ୍ୱାରା କାର୍ଯ୍ୟକ୍ଷେତ୍ରରେ ଗୁଣାତ୍ମକ ପରିବର୍ତ୍ତନ ଅଣାଯାଇପାରିବ ଓ କୃଷକମାନେ ବହୁଳ ଭାବେ ଉପକୃତ ହୋଇପାରିବେ । ଶେଷରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ଼ ଏମ୍ ମୁ୍ଥୁକୁମାର ଧନ୍ୟବାଦ ଅର୍ପଣ କରିଥିଲେ ।