କୃଷିକ୍ଷେତ୍ରରେ ସମୟୋପଯୋଗୀ ପଦକ୍ଷେପ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ: କୃଷିମନ୍ତ୍ରୀ

ଓୟୁଏଟିରେ କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ସମୀକ୍ଷା

ଭୁବନେଶ୍ୱର : ଆଧୁନିକ ଜ୍ଞାନକୌଶଳ ସହିତ ନିଜକୁ ଖାପଖୁଆଇ ଚାଷକାର୍ଯ୍ୟ କରିବା ପାଇଁ ଓଡ଼ିଶାର କୃଷକମାନଙ୍କୁ ପ୍ରବର୍ତ୍ତାଇବା ଦିଗରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ । ଏଥିସହିତ ବିଶ୍ୱବିଦ୍ୟାଳୟ ଅଧ୍ୟାପକମାନେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏପରି ମାନସିକତା ସୃଷ୍ଟି କରିବା ଆବଶ୍ୟକ ଯେପରି ସେମାନେ ଚାକିରି ସର୍ବସ୍ୱ ନ ହୋଇ ଭବିଷ୍ୟତରେ କୃଷି ଉଦ୍ୟୋଗୀ ହେବେ ବୋଲି କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମତବ୍ୟକ୍ତ କରିଛନ୍ତି ।

ବୁଧବାର ଅପରାହ୍ଣରେ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ସମୀକ୍ଷା ଏବଂ ଅଧ୍ୟାପକ- ଅଧ୍ୟାପିକାମାନଙ୍କ ସହିତ ମତବିନିମୟ କରିବା ଅବସରରେ ମନ୍ତ୍ରୀ ଡ. ସାହୁ କହିଲେ ଯେ ସମ୍ପ୍ରତି ଜଳବାୟୁ ପରିବର୍ତ୍ତନ ଯୋଗୁଁ କୃଷିକାର୍ଯ୍ୟରେ ମଧ୍ୟ ତଦନୁଯାୟୀ ପରିବର୍ତ୍ତନ ଆଣିବା ଆବଶ୍ୟକ । ଗବେଷଣା ଦ୍ୱାରା ନୂଆ କିସମର ବିହନ ସୃଷ୍ଟି କରିବା ଓ ଏହାକୁ ବ୍ୟବହାର କରିବା ଦିଗରେ କୃଷକମାନଙ୍କୁ ପ୍ରବର୍ତ୍ତାଇବାର ଆବଶ୍ୟକତା ରହିଛି । ଜଳବାୟୁକୁ ଖାପଖୁଆଇବା ଭଳି ବିହନ ଓ କମ୍ ଦିନରେ ଅମଳ ହୋଇପାରୁଥିବା ବିହନ ସୃଷ୍ଟି କରିବାକୁ ପଡ଼ିବ । ଏଥିସହିତ ଚାଷୀମାନଙ୍କୁ ଅଧିକ ଅର୍ଥକରୀ ଫସଲ ଦିଗରେ ଆଗ୍ରହୀ କରାଇବା ଆବଶ୍ୟକତା ରହିଛି । ସେହିପରି କୃଷି କ୍ଷେତ୍ରରେ ଅଧିକ ନିଯୁକ୍ତି ସୃଷ୍ଟିର ସୁଯୋଗ ରହିଛି । ଯୁବପିଢ଼ି ଏହାର ସଦୁପଯୋଗ କଲେ ରାଜ୍ୟରେ ଅଧିକରୁ ଅଧିକ କୃଷି ଉଦ୍ୟୋଗୀ ସୃଷ୍ଟି ହୋଇପାରିବେ ଏବଂ ନିଯୁକ୍ତି ସୁଯୋଗ ମଧ୍ୟ ବୃଦ୍ଧି ପାଇବ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ଅଧ୍ୟାପକ ଓ ଅଧ୍ୟାପିକାମାନେ ନିଷ୍ଠାର ସହିତ ଭବିଷ୍ୟତ ପିଢ଼ି ପାଇଁ କାର୍ଯ୍ୟକରି ବିଶ୍ୱବିଦ୍ୟାଳୟକୁ ଦେଶର ଏକ ଅଗ୍ରଣୀ କୃଷି ବିଶ୍ୱବିଦ୍ୟାଳୟରେ ପରିଣତ କରିବା ନିମନ୍ତେ ଆଗେଇ ଆସିବାକୁ ଡ. ସାହୁ ଆହ୍ୱାନ ଦେଇଥିଲେ । ବଜାର ଚାହିଦାକୁ ଲକ୍ଷ୍ୟ କରି ଅଧିକ ପନିପରିବା, ଦୁଗ୍ଧ ଏବଂ ଅଣ୍ଡା ଉତ୍ପାଦନ କରିବାର ଆବଶ୍ୟକତା ରହିଛି । ପ୍ରାକୃତିକ ସମ୍ପଦରେ ଭରା ଓଡ଼ିଶାରେ ୪୮୦ କିଲୋମିଟର ଦୀର୍ଘ ବେଳାଭୂମି ରହିଛି । ନୂତନ ଜ୍ଞାନକୌଶଳ ପ୍ରୟୋଗ କରି ସାମୁଦ୍ରିକ ଖାଦ୍ୟ ଉତ୍ପାଦନ ବୃଦ୍ଧି କରିବା ନିମନ୍ତେ ଯଥେଷ୍ଟ ସୁଯୋଗ ରହିଛି ।

ଏଥିସହିତ କୃଷି କ୍ଷେତ୍ରରେ ସମୟୋପଯୋଗୀ ପଦକ୍ଷେପ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫‘ଟି’ ମନ୍ତ୍ର : ଟିମ୍ୱାର୍କ, ଟେକ୍ନୋଲୋଜି, ଟ୍ରାନ୍ସପରେନ୍ସି, ଟାଇମ୍ ଓ ଟ୍ରାନ୍ସଫର୍ମେସନ୍କୁ ଆଧାର କରି ନିଷ୍ଠାର ସହିତ କାର୍ଯ୍ୟ କଲେ ବିଶ୍ୱବିଦ୍ୟାଳୟ ଏକ ଉକ୍ରର୍ଷ କେନ୍ଦ୍ରରେ ପରିଣତ ହୋଇପାରିବ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ପ୍ରାରମ୍ଭରେ ବିଶ୍ୱବିଦ୍ୟାଳୟର କୁଳପତି ଡ. ପବନ କୁମାର ଅଗ୍ରୱାଲ ବିଶ୍ୱବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରି ରାଜ୍ୟରେ କୃଷିର ବିକାଶ ଦିଗରେ ବିଶ୍ୱବିଦ୍ୟାଳୟର ଭୂମିକା ସମ୍ପର୍କରେ ଅବଗତ କରାଇଥିଲେ । କୃଷି ଓ ଖାଦ୍ୟ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ. ଏମ୍. ମୁଥୁକୁମାର କୃଷକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗବେଷଣା କ୍ଷେତ୍ରରେ ଅଧିକ ସମୟ ନିୟୋଜିତ କରିବା ପାଇଁ ପରାମର୍ଶ ଦେଇଥିଲେ ।