୫ଟିରେ ସାମିଲ ହେଲା ଆଉ ୨ ବିଭାଗ

ଭୁବନେଶ୍ୱର: ୫ଟିରେ ସାମିଲ ହେଲା ଆଉ ୨ ବିଭାଗ । ସେଗୁଡିକ ହେଲା: କୃଷି ଓ ଉଚ୍ଚଶିକ୍ଷା ବିଭାଗ ।

ରାଜ୍ୟ ସରକାରଙ୍କ ୫ଟି ରେ ଉଚ୍ଚଶିକ୍ଷା ବିଭାଗ ଆସିବା ପରେ ୧୭ ସୂତ୍ର ଯୁକ୍ତ ଆକ୍ସନ ପ୍ଲାନ ତିଆରି ହେବା ସହ ନୋଡାଲ ଅଫିସର ମଧ୍ୟ ନିଯୁକ୍ତ କରାଯାଇଛି । ଏଥିମଧ୍ୟରେ ରହିଛି ଆକ୍ସନ ପ୍ଲାନରେ ସ୍କଲାରସିପ୍ କାଉନସିଲ ଗଠନ । ଫଳରେ ଅଧ୍ୟାପକମାନଙ୍କ ବାୟୋମେଟ୍ରିକ୍ ଉପସ୍ଥାନ ୭ ଘଣ୍ଟା ତଦାରଖ କଡ଼ାକଡ଼ି କରାଯିବା ସହ ବାର୍ଷିକ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ୭୫% ଉପସ୍ଥାନ ବାଧ୍ୟତାମୂଳକ ରହିଛି। ବ୍ଲକ ଓ ଜିଲ୍ଲାସ୍ତରରେ ମେଧା ତାଲିକା ପ୍ରସ୍ତୁତ କରାଯାଇ ଲାପଟପ୍ ବଣ୍ଟନ କରାଯିବ। ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ପାଇଁ ଏକକ ଟ୍ରାନ୍ସଫର ପଲିସି କାର୍ଯ୍ୟକାରୀ ହେବ। ସାମ୍ସ ଜରିଆରେ ଛାତ୍ରଛାତ୍ରୀ ଫିଡ୍‌ବ୍ୟାକ୍‌ ଦେବା ବ୍ୟବସ୍ଥା, ବିଶ୍ୱବିଦ୍ୟାଳୟସ୍ତରରେ କ୍ୟାରିଅର କାଉନସେଲିଂ ବ୍ୟବସ୍ଥା, ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେବା ଲାଗି ଛାତ୍ରଛାତ୍ରୀଙ୍କୁ କୋଚିଂ ବ୍ୟବସ୍ଥା ହେବ।

ସେହିପରି କୃଷି ବିଭାଗ ବିଭାଗ ମଧ୍ୟ ଆଜି ଠାରୁ ୫ଟି ଅଧୀନରେ କାର୍ଯ୍ୟ କରିବ। ଏହା ଅଧୀନରେ ଚାଷୀମାନଙ୍କ ଅଭିଯୋଗର ସମାଧାନ ସହ କୃଷି ବିଭାଗ କାର୍ଯ୍ୟାଳୟରେ କର୍ମଚାରୀଙ୍କ ବ୍ୟବହାର ସମ୍ପର୍କରେ ଚାଷୀମାନଙ୍କ ଫିଡ୍‌ବ୍ୟାକ୍‌ ଗ୍ରହଣ କରାଯିବ ବୋଲି କୃଷି ସଚିବ ସୌରଭ ଗର୍ଗ କହିଛନ୍ତି।

ଏଥିସହ ପୋଖରୀ ଖନନ କରାଯାଇ ଚାଷୀଙ୍କୁ ସ୍ୱାବଲମ୍ବୀ କରାଯିବ। ଚାଷୀମାନଙ୍କ ଆୟ ଦ୍ୱିଗୁଣିତ କରିବାକୁ ଲକ୍ଷ୍ୟ ରହିଛି। ଏହାସହ କାଳିଆ ଗ୍ରିଭାନ୍ସ ପୋର୍ଟାଲରେ ଚାଷୀ ଅଭିଯୋଗ ଦାଖଲ କରିପାରିବେ ବୋଲି କୃଷି ସଚିବ କହିଛନ୍ତି।

ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିବା ଭି. କାର୍ତ୍ତିକେୟନ ପାଣ୍ଡିଆନ ଏବେ ୫ଟି ସଚିବ ଅଛନ୍ତି। ରାଜ୍ୟବାସୀଙ୍କୁ ସ୍ୱଚ୍ଛ ଏବଂ ତ୍ୱରିତ ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଆରମ୍ଭ କରିଥିବା ୫ଟି ଯୋଜନାର ନିଜେ ତଦାରଖ କରୁଛନ୍ତି ୫ଟି ସଚିବ ପାଣ୍ଡିଆନ୍‌। ଆଗରୁ ୫ଟି ଅଧୀନରେ ଥାନା ଓ ମେଡିକାଲ ଥିଲା।