ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ସୁପରଫାଷ୍ଟ ଏକ୍ସପ୍ରେସରେ ବ୍ରାଣ୍ଡିଂ ପାଇଁ ନାଲ୍କୋ ଓ ପୂର୍ବତଟ ରେଲୱେ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ଭାରତର ଅଗ୍ରଣୀ ନବରତ୍ନ ଉଦ୍ୟୋଗ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲ୍କୋ) ଏବଂ ପୂର୍ବ ତଟ ରେଲ୍ୱେ ପକ୍ଷରୁ ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି ଓ ଐତିହ୍ୟର ପ୍ରଚାରପ୍ରସାର ଦିଗରେ ଏକ ପଦକ୍ଷେପ କ୍ରମେ ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍ର ବ୍ରାଣ୍ଡିଂ ପାଇଁ ଆଜି ଉଭୟ ଅନୁଷ୍ଠାନ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।

ନାଲ୍କୋର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ ଏବଂ ପୂର୍ବ ତଟ ରେଲ୍ୱେର ବରିଷ୍ଠ ଅଧିକାରୀବୃନ୍ଦଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଜାତୀୟ ସ୍ତରରେ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟର ପ୍ରଚାରପ୍ରସାର ପାଇଁ ଗ୍ରହଣ କରାଯାଇଥିବା ଏହି ପଦକ୍ଷେପକୁ ପୁରସ୍କୃତ ଅଭିନେତ୍ରୀ ନନ୍ଦିତା ଦାସ, ସୁପ୍ରସିଦ୍ଧ ଗାୟକ ପଦ୍ମଶ୍ରୀ ପ୍ରଫୁଲ୍ଲ କର, ବିଶ୍ୱସ୍ତରୀୟ ଓଡ଼ିଶୀ ନୃତ୍ୟଶିଳ୍ପୀ ଡଃ ଇଲିଆନା ସିତାରିସ୍ତି ଏବଂ ପ୍ରସିଦ୍ଧ ଭାସ୍କର୍ଯ୍ୟଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ସାହୁ ପ୍ରମୁଖ ଭୂୟସୀ ପ୍ରଶଂସା କରିଛନ୍ତି । ସେମାନେ କହିଛନ୍ତି ଯେ ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି, ଐତିହ୍ୟ, ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ନୃତ୍ୟଶୈଳୀର ପ୍ରସାର ପାଇଁ ନାଲ୍କୋ ଏବଂ ଭାରତୀୟ ରେଳବାଇର ଏହି ପ୍ରୟାସ ଏକ ଐତିହାସିକ ପଦକ୍ଷେପ । ଏହା ଦ୍ୱାରା କେବଳ ଯେ ଓଡ଼ିଶାର ପର୍ଯ୍ୟଟନରେ ଅଭିବୃଦ୍ଧି ଘଟିବ ତାହା ନୁହେଁ ବରଂ ଏହା କର୍ମନିଯୁକ୍ତି ସୃଷ୍ଟିକୁ
ମଧ୍ୟ ତ୍ୱରାନ୍ୱିତ କରିବ ।

ଏହି ବୁଝାମଣାପତ୍ରଟି ନାଲ୍କୋ ପକ୍ଷରୁ ଉପମହାପ୍ରବନ୍ଧକ (ନିଗମସଂଚାର ଓ ଜନସମ୍ପର୍କ) ଶ୍ରୀ ଏଲ୍. ଦାସ ଏବଂ ସିନିୟର୍ ଡିସିଏମ୍, ଖୋର୍ଦ୍ଧା, ପୂର୍ବ ତଟ ରେଲ୍ୱେ ପକ୍ଷରୁ ଶ୍ରୀ ପି.କେ. ସାମଲଙ୍କ ଦ୍ୱାରା ସ୍ୱାକ୍ଷରିତ ହୋଇଥିଲା । ଏହି ଅବସରରେ, ନାଲ୍କୋର ନିର୍ଦ୍ଦେଶକ (ଉତ୍ପାଦନ) ଶ୍ରୀ ଭି. ବାଲସୁବ୍ରମଣ୍ୟମ, ନିର୍ଦ୍ଦେଶକ (ମାନବସମ୍ବଳ) ଶ୍ରୀ ବସନ୍ତ କୁମାର ଠାକୁର, ନିର୍ଦ୍ଦେଶକ (ପି ଆଣ୍ଡ୍ ଟି) ଶ୍ରୀ ସଞ୍ଜୀବ କୁମାର ରାୟ,, ନିର୍ଦ୍ଦେଶକ (ବାଣିଜ୍ୟ) ଶ୍ରୀ ପ୍ରଦୀପ କୁମାର ମିଶ୍ର, ମୁଖ୍ୟ ସତର୍କତା ଅଧିକାରୀ ଶ୍ରୀ ସୋମନାଥ ହାଁସଦା ଏବଂ ପୂର୍ବ ତଟ ରେଲ୍ୱେର ସିସିଏମ୍, ପାସେଞ୍ଜର୍ ମାର୍କେଟିଂ ଶ୍ରୀ ଏମ୍.ଏଲ୍. ଆଶିଷ ରାଓ, ଡେପୁଟୀ ସିସିଏମ୍ ଶ୍ରୀ ଜେ.ଏଲ୍. ଜେନା, ପାସେଞ୍ଜର୍ ସର୍ଭିସେସ୍ ଏବଂ ସିନିୟର୍ ସିଡିଓ, ଭୁବନେଶ୍ୱର ଶ୍ରୀ ଏସ୍. ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।