ଦ୍ବିତୀୟ ଥର ପାଇଁ ଜାମିଆରେ ଫୁଟିଲା ଗୁଳି

ନୂଆଦିଲ୍ଲୀ: ଜାମିଆ ବିଶ୍ବବିଦ୍ୟାଳୟରେ ପୁଣି ଫୁଟିଲା ଗୁଳି । ଗତ ୪ ଦିନ ମଧ୍ୟରେ ଦ୍ବିତୀୟ ଥର ପାଇଁ ଜାମିଆରେ ଏଭଳି ଗୁଳିକାଣ୍ଡ ହୋଇଛି । ଜାମିଆ ବିଶ୍ବବିଦ୍ୟାଳୟର ଗେଟ ନମ୍ବର ୫ରେ ରବିବାର ବିଳମ୍ବିତ ରାତିରେ ଏହି ଗୁଳିକାଣ୍ଡ ହୋଇଥିବା ସୂଚନା ମିଳିଛି । ଦୁଇ ଚକିଆ ଯାନରେ ଦୁର୍ବୃତମାନେ ଆସି ଗେଟ ନମ୍ବର ୫ରେ ଗୁଳିମାଡ କରିଛନ୍ତି । ତେବେ ଘଟଣାରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି ।

ତେବେ ଯେଉଁ ଦୁଇଚକିଆ ଯାନରେ ଦୁର୍ବୃତମାନେ ଆସି ଫାୟାରିଂ କରିଛନ୍ତି, ସେହି ଗାଡିର ନମ୍ବର ହେଉଛି DL 2S1534 । ଅନ୍ୟପଟେ ଗାଡିରେ ଥିବା ଦୁର୍ବୃତ ନାଲି ଜ୍ୟାକେଟ ପିନ୍ଧିଥିବା ମଧ୍ୟ କୁହାଯାଉଛି ।

ସୂଚନାଯୋଗ୍ୟ, ମହାତ୍ମା ଗାନ୍ଧୀଙ୍କ ପୁଣ୍ୟତିଥି ଅବସରରେ ଗତ ଗୁରୁବାର ଜାମିଆ ବିଶ୍ବବିଦ୍ୟାଳୟ ନିକଟରେ ସିଏଏ ଏବଂ ଏନଆରସି ବିରୋଧରେ ପ୍ରଦର୍ଶନ କରିଥିଲେ ଛାତ୍ରଛାତ୍ରୀ । ଏହି ସମୟରେ ଜଣେ ଯୁବକ ସେଠାକୁ ବନ୍ଧୁକ ଧରି ଆସିଥିଲେ ଏବଂ ପ୍ରଦର୍ଶନକାରୀଙ୍କୁ ‘ୟେ ଲୋ ଆଜାଦି’ କହି ଗୁଳି ଚଳାଇଥିଲେ । ଏଥିରେ ଜାମିଆର ଛାତ୍ର ଶାଦାବ ଫାରୁଖ ଆହତ ହୋଇଥିଲେ ।