ସମଝୌତା ପରେ ‘ଥର’ ଏକ୍ସପ୍ରେସ ବନ୍ଦ କଲା ପାକିସ୍ତାନ

ଇସ୍‌ଲାମାବାଦ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ବ୍ୟାକ୍‌ଫୁଟ୍‌ରେ ଥିବା ପାକିସ୍ତାନ ଏବେ ଆଟାକିଂ ମୁଡ୍‌କୁ ଚାଲି ଆସିଛି। ଭାରତ ବିରୋଧରେ ଇମ୍ରାନ୍‌ ଖାନ୍‌ ସରକାର ଗୋଟିଏ ପରେ ଗୋଟିଏ ନକାରାତ୍ମକ ପଦକ୍ଷେପ ଗ୍ରହଣ କରିବାରେ ଲାଗିଛନ୍ତି। ଗତକାଲି ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲୁଥିବା ସମଝୌତା ଏକ୍ସପ୍ରେସକୁ ପାକିସ୍ତାନ ସରକାର ୱାଘାରେ ଅଟକାଇ ଦେଇଥିଲେ।

ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲୁଥିବା ‘ଥର’ ଏକ୍ସପ୍ରେସ୍‌ର ଚଳାଚଳକୁ ମଧ୍ୟ ପାକିସ୍ତାନ ସରକାର ବ୍ୟାନ୍‌ କରିଛନ୍ତି। ଏ ସମ୍ପର୍କରେ ପାକିସ୍ତାନର ରେଲୱେ ମନ୍ତ୍ରୀ ଶେଖ ରଶିଦ୍‌ ଅହମ୍ମଦ ଘୋଷଣା କରିଛନ୍ତି। ସେ କହିଛନ୍ତି, “ଭାରତ ସହ କୌଣସି ପ୍ରକାରର ସମ୍ପର୍କ ରଖାଯିବ ନାହିଁ। ମୁଁ ମନ୍ତ୍ରୀ ପଦରେ ଥିବା ଯାଏ ଭାରତକୁ ଆମ ଦେଶରୁ କୌଣସି ଟ୍ରେନ୍‌ ଚଳାଚଳ କରିବ ନାହିଁ।”

କରାଚି ଓ ରାଜସ୍ଥାନ ମଧ୍ୟରେ ଚଳାଚଳ କରୁଥିବା ‘ଥର୍’ ଏକ୍ସପ୍ରେସ୍‌କୁ ଆଜି ବନ୍ଦ କରାଯାଇଛି। ‘ଥର୍’ ଏକ୍ସପ୍ରେସ କରାଚିର ଖୋକରାପରାରୁ ରାଜସ୍ଥାନର ମନାବୋ ମଧ୍ୟରେ ସପ୍ତାହରେ ଥରେ ଯାତାୟାତ କରି ଆସୁଥିଲା।