ଦୁର୍ଗାପୂଜା: ଟ୍ୱିନ ସିଟିରେ ରାତି ୧୨ଟା ଯାଏଁ ଚାଲିପାରିବ ମେଲୋଡ଼ି

ଭୁବନେଶ୍ୱର: ଖୁସି ଓ ଉତ୍ସାହ ନେଇ ପୁଣି ଫେରିଛି ମହାପାର୍ବଣ ଦୁର୍ଗାପୂଜା। ଦୁର୍ଗାପୂଜା ଅବସରରେ ରାଜଧାନୀ ଓ କଟକରେ ଖୁବ୍‌ ଆକର୍ଷଣୀୟ ତୋରଣମାନ ସଜ୍ଜିତ ହୋଇଛି। ତେବେ ଦୁର୍ଗାପୂଜାକୁ ନେଇ ଟୁଇନ୍‌ ସିଟ୍‌ରେ ସୁରକ୍ଷା ବ୍ୟବସ୍ଥାକୁ ବି କଡ଼ାକଡ଼ି କରି ଦିଆଯାଇଛି। ଏଥିପାଇଁ ଭୁବନେଶ୍ୱରରେ ୨୦୦୦ ସ୍ପେଶାଲ ପୁଲିସ ଅଫିସର ରହିବା ସହିତ ୩୫ ପ୍ଲାଟୁନ୍‌ ପୁଲିସ ନିୟୋଜିତ ହୋଇଛନ୍ତି। ରାଜଧାନୀରେ ୧୭୪ଟି ମେଢ଼ ହୋଇଥିବା ବେଳେ ୫ଟି ସ୍ଥାନରେ ରାବଣପୋଡିର ଆୟୋଜନ କରାଯିବା ପାଇଁ ଅନୁମତି ମିଳିଛି। ତେବେ ଦୁର୍ଗାପୂଜା ସମୟରେ ପୂଜାମଣ୍ଡମରେ ଅନୁଷ୍ଠିତ ହେଉଥିବା ମେଲୋଡି କାର୍ଯ୍ୟକ୍ରମ ୧୨ଟା ସୁଦ୍ଧା ଶେଷ କରିବା ସହିତ ଭସାଣି ବେଳେ ଭାଇବ୍ରେଟ ମ୍ୟୁଜିକ ବ୍ୟବହାର ନ କରିବାକୁ ପୁଲିସ କମିସନର୍ ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି।

ସେହିପରି କଟକରେ ୨୩୬ଟି ମେଢ଼ ହୋଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ୮୩ଟି ପ୍ଲାଟୁନ୍‌ ଫୋର୍ସକୁ ନିୟୋଜିତ କରାଯାଇଛି। ପୂଜା ସମୟରେ ଭାରୀଯାନ ଚଳାଚଳ ଉପରେ କଟକଣା ଲାଗିଛି। ସମସ୍ତ ପୂଜା ମଣ୍ଡପ ନିକଟରେ ଭକ୍ତଙ୍କ ଦର୍ଶନ ଲାଗି ବ୍ୟାରିକେଡ୍‌ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି। ପୂଜା ମଣ୍ଡପ ନିକଟରେ ପର୍ଯ୍ୟାପ୍ତ ଆଲୋକୀକରଣ ଓ ଅଗ୍ନି ନିର୍ବାପନ ବ୍ୟବସ୍ଥା ପ୍ରତି ଧ୍ୟାନ ଦେବାକୁ କିମସନ୍‌ରେଟ୍‌ ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି।