ମିଶିଲା କାଳିଆ ଓ ପିଏମ୍ କିଷାନ ଯୋଜନା

ରାଜ୍ୟ ସରକାର ୪୦୦୦ ଟଙ୍କା ଓ କେନ୍ଦ୍ର ସରକାର ୬୦୦୦ ଟଙ୍କା ଦେବେ

ଭୁବନେଶ୍ୱର: ଚାଷୀବର୍ଗଙ୍କୁ  ସ୍ୱାବଲମ୍ବୀ କରିବାକୁ ହାତ ମିଶାଇଲେ କେନ୍ଦ୍ର ଓ ରାଜ୍ୟ ସରକାର । ଚାଷୀଙ୍କୁ ସୁବିଧା ଦେବାକୁ କାଳିଆ ଯୋଜନାର ଗାଇଡଲାଇନରେ ପରିବର୍ତ୍ତନ ଆଣିଛନ୍ତି ରାଜ୍ୟ ସରକାର । କୃଷି ବିଭାଗ ବୈଠକରେ ଗାଇଡଲାଇନ୍ ପରିବର୍ତ୍ତନ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ସରକାର ।

ତେବେ ଚାଷୀଙ୍କୁ ବାର୍ଷିକ ମିଳୁଥିବା ୧୦ ହଜାର ଟଙ୍କା ଖାଲି ରାଜ୍ୟ ସରକାର ଦେବେନି । ଏଣିକି ଏହି ଟଙ୍କା ଉଭୟ ରାଜ୍ୟ ଓ କେନ୍ଦ୍ର ମିଳିମିଶି ଦେବେ । ରାଜ୍ୟ ସରକାର ୪୦୦୦ ଟଙ୍କା ଓ କେନ୍ଦ୍ର ସରକାର ୬୦୦୦ ଟଙ୍କା ଦେବା ସ୍ଥିର ହୋଇଛି । ପୂର୍ବରୁ କାଳିଆ ଯୋଜନାରେ କ୍ଷୁଦ୍ର ଓ ବଡ଼ ଚାଷୀଙ୍କୁ କେବଳ ରାଜ୍ୟ ଏହି ଟଙ୍କା ଦେଉଥିବା ବେଳେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଏହି ଟଙ୍କା ଉଭୟ ସରକାର ମିଶିକରି ଦେବେ।

ତେବେ ଚାଷୀ ଏବେ କେବଳ ‘କାଳିଆ’ ପାଖରୁ ନୁହେଁ, ‘ପିଏମ କିଷାନ’ ଯୋଜନାରୁ ମଧ୍ୟ ଟଙ୍କା ପାଇବେ । କାଳିଆ ଯୋଜନାରୁ ୪୦୦୦ ଓ କିଷାନ ଯୋଜନାରୁ ୬୦୦୦ ଟଙ୍କା ମିଳିବ । ସେପଟେ ଭୂମିହୀନଙ୍କୁ ରାଜ୍ୟ ସରକାର ଦେବେ ୧୦ ହଜାର ଟଙ୍କା । ବର୍ତ୍ତମାନ ସୁଦ୍ଧା ୫୧ ଲକ୍ଷରୁ ଅଧିକ ଚାଷୀ କାଳିଆ ଯୋଜନା ଟଙ୍କା ପାଇଛନ୍ତି ବୋଲି ସୂଚନା ଦେଇଛନ୍ତି ସରକାର ।

ଗତ କିଛି ଦିନ ହେବ ଚାଷୀଙ୍କ ପାଇଁ କେନ୍ଦ୍ର-ରାଜ୍ୟ ଏକାଠି କାମ କରିବେ ବୋଲି ଚର୍ଚ୍ଚା ହେଉଥିଲା । କାଳିଆ ଓ କିଷାନ ମିଶିଯିବେ ବୋଲି ଚର୍ଚ୍ଚା ଜୋର ଧରିବା ପରେ କୃଷି ମନ୍ତ୍ରୀ ଅରୁଣ ସାହୁ ସ୍ପଷ୍ଟୀକରଣ ରଖିଥିଲେ । କାଳିଆ-କିଷାନ ମିଶିଗଲେ ବି କାଳିଆ ବନ୍ଦ ହେବନି କି ଚାଷୀଙ୍କୁ ହଇରାଣ କରିବନି ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ । ଆଜି କୃଷି ବିଭାଗରେ ଅନୁଷ୍ଠିତ ବୈଠକରେ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି ।