ଶ୍ରୀନଗର: ଏଥର ଜମ୍ମୁ ଓ ଶ୍ରୀନଗର ବନ୍ଦରର ଦାୟିତ୍ୱ ଦେବେ କେନ୍ଦ୍ରୀୟ ଶିଳ୍ପାଂଚଳ ସୁରକ୍ଷା ବଳ(ସିଆଇଏସଏଫ୍) । ତେବେ ଏହାର ନିଷ୍ପତି ନେଇଛି ଜମ୍ମୁ ଓ କଶ୍ମୀର ସରକାର । ପୋଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କ ଆଦେଶ ଅନୁସାରେ ଏହି ୨ ସମ୍ବେଦନଶୀଳ ବିମାନବନ୍ଦରକୁ ୩୧ ଜାନୁଆରୀ ପର୍ଯ୍ୟନ୍ତ ସିଆଇଏସଫକୁ ହସ୍ତାନ୍ତର କରାଯିବ ।
ଜମ୍ମୁ କଶ୍ମୀର ପୋଲିସ ପକ୍ଷରୁ ଜାରି କରାଯାଇଥିବା ଏକ ବୟାନରେ କୁହାଯାଇଛି ଯେ, ଆତଙ୍କବାଦୀଙ୍କ ସହିତ ଗିରଫ ହୋଇଥିବା ଡିଏସପି ଦେବେନ୍ଦ୍ର ବହୁ ତଥ୍ୟ ଦେଇସାରିଛନ୍ତି । ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଆତଙ୍କବାଦୀଙ୍କୁ ପହଂଚାଇବାରେ ସେ ସହଯୋଗ କରୁଥିଲେ । ଏହି ଖୁଲାସା ପରେ ଶ୍ରୀନଗର ଓ ଜମ୍ମୁ ବିମାନ ବନ୍ଦରର ସୁରକ୍ଷା ଦାୟିତ୍ୱ ସିଆଇଏସଏଫକୁ ଦିଆଯିବା ପାଇଁ ନିଷ୍ପତି ନିଆଯାଇଛି । ଏହାର ସୁରକ୍ଷା ଏଯାଏଁ ରାଜ୍ୟ ପୋଲିସ ସହ ସିଆରପିଏଫ କରୁଥିଲା ।
ଜମ୍ମୁ କଶ୍ମୀରର କୁଲଗାମ ଜିଲ୍ଲାର ମୀର ବଜାରରେ ପୋଲିସ ଶନିବାର ହିଜବୁଲ ମୁଜାହିଦୀନର ଆତଙ୍କବାଦୀ ନଭୀଦ ବାବା ଓ ଅଲତାଫ ସହ ଡିଏସପି ଦେବେନ୍ଦ୍ର ସିଂହଙ୍କୁ ଗିରଫ କରିଥିଲା । ଏତଦ ବ୍ୟତୀତ ଜଣେ ଓକିଲ ମଧ୍ୟ ଘଟଣା ଦିନ ଗିରଫ ହୋଇଥିଲେ । ଓକିଲ ଜଣକ ଆତଙ୍କବାଦୀଙ୍କ ପାଇଁ କାମ କରୁଥିଲେ । କେନ୍ଦ୍ର ସରକାର ଗତ ବର୍ଷ ନିଷ୍ପତି ନେଇଥିଲେ ଯେ, ଲେହ ସହିତ ଶ୍ରୀନଗର ଓ ଜମ୍ମୁ ବିମାନ ବନ୍ଦରର ସୁରକ୍ଷା ଦାୟିତ୍ୱ ସିଆଇଏସଏଫକୁ ଦିଆଯିବ । ବିଗତ ଦିନରେ କେନ୍ଦ୍ର ସରକାର ଏହି ୩ଟି ବିମାନ ବନ୍ଦରର ସୁରକ୍ଷା ଦାୟିତ୍ୱ ସମ୍ଭାଳିବାକୁ ୮୦୦ ସିଆଇଏସଏଫ ଯବାନଙ୍କ ନିଯୁକ୍ତିକୁ ମଂଜୁରୀ ଦେଇଥିଲେ । ସିଆଇଏସଏଫ ରାଷ୍ଟ୍ରୀୟ ବେସାମରିକ ବିମାନ ସୁରକ୍ଷା ବଳ ଅଟେ ଏବଂ ବର୍ତମାନ ସମୟରେ ଦିଲ୍ଲୀ ଓ ମୁମ୍ବାଇ ସମେତ ୬୧ଟି ବିମାନ ବନ୍ଦରର ସୁରକ୍ଷା ଦାୟିତ୍ୱ ନେଇଛି ।