ନିର୍ଭୟା ୪ ଦୋଷୀଙ୍କୁ ଫାଶୀ ମିଳିବା ପରେ ଏଭଳି ପ୍ରତିକ୍ରିୟା ରଖିଲେ ଆଶା ଦେବୀ

ନୂଆଦିଲ୍ଲୀ: ଆଜି ନିର୍ଭୟା ୪ ଦୋଷୀଙ୍କୁ ଫାଶୀ ମିଳିବା ପରେ ସାରା ଦେଶରେ ଖୁସି ଲହରି ଦେଖିବାକୁ ମିଳିଛି । ତେବେ ଏଥିରେ ନିର୍ଭୟାଙ୍କ ମା’ ଆଶା ଦେବୀ ନିଜର ଖୁସି ମଧ୍ୟ ବ୍ୟକ୍ତ କରିଛନ୍ତି ।

ସେ କହିଛନ୍ତି ଯେ, ଆଜି ନ୍ୟାୟ ମିଳିଛି । ନିଜର ଝିଅକୁ ନେଇ ଗର୍ବ କରୁଛି । ଆଜି ଯଦି ସେ ଏଠାରେ ଉପସ୍ଥିତ ଥାଆନ୍ତା, ମୁଁ ଜଣେ ଡାକ୍ତରଙ୍କ ମା’ ଭାବେ ପରିଚିତ ହୋଇଥାନ୍ତି । ଗଣମାଧ୍ୟମ ଆଗରେ ଆଶା ଦେବୀ ଭାବୁକ ହୋଇଯାଇଥିଲେ । ସେ କହିଛନ୍ତି, ଦେଶବ୍ୟାପି ମହିଳାଙ୍କୁ ଅପିଲ କରୁଛି, କୌଣସି ଝିଅଙ୍କ ସହିତ ଅନ୍ୟାୟ ହେଉଥିଲେ, ଏହା ସହିତ ମୁଁ ଅଛି ।

ଆଶା ଦେବେୀ କହିଛନ୍ତି, ଦେଶର ଝିଅଙ୍କ ପାଇଁ ମୋର ସଂଘର୍ଷ ଜାରି ରହିବ । ଏହି ଲଢ଼େଇ ଆଗକୁ ବି ଜାରି ରହିବ। ଆଜି ପରେ ଦେଶର ଝିଅମାନେ ନିଜେ ନିଜକୁ ସୁରକ୍ଷିତ ମନେକରିବେ ।

ଆଶା ଦେବୀ କହିଛନ୍ତି, ପ୍ରଥମ ଥର ପାଇଁ ୪ ଜଣ ଦୋଷୀଙ୍କୁ ଏକକାଳୀନ ଫାଶୀଖୁଂଟରେ ଝୁଲାଇ ଦିଆଯାଇଛି । ମୋର ଝିଅକୁ ବିଳମ୍ବରେ ହେଉ ପଛେ ନ୍ୟାୟ ମିଳିଛି । ଆଜି ଦେଶର ଝିଅମାନଙ୍କୁ ନ୍ୟାୟ ମିଳିଛି । ମୁଁ ଦେଶର ନ୍ୟାୟ ବ୍ୟବସ୍ଥାକୁ ଧନ୍ୟବାଦ ଜଣାଉଛି । ସେ ଦୋଷୀମାନଙ୍କ ସମସ୍ତ ପ୍ରକାର ଉଦ୍ୟମ ବିଫଳ ହୋଇଛି ବୋଲି ଆଶା ଦେବୀ କହିଛନ୍ତି । ୪ ଜଣ ଦୋଷୀଙ୍କୁ ଫାଶୀ ମିଳିବା ପରେ ତିହାର ଜେଲ ବାହାରେ ଓ ଆଶା ଦେବୀଙ୍କ ଘର ବାହାରେ ଲୋକମାନଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଥିଲା ।